ଭୁବନେଶ୍ୱର, ୨୬ା୯(କ୍ରୀଡ଼ା ପ୍ରତିନିଧି) ହକି ଇଣ୍ଡିଆର ନବନିର୍ବାଚିତ ସଭାପତି ଅଲିମ୍ପିଆନ ଦିଲୀପ ତିର୍କୀଙ୍କୁ ରବିବାର ଓଡ଼ିଶା ସ୍ପୋଟର୍ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍ଜା) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ୪୧୨ ଆନ୍ତର୍ଜାତିକ ହକି ମ୍ୟାଚ୍ ଖେଳିବାର ରେକର୍ଡ ରଖିଥିବା ଦିଲୀପ ନିକଟରେ ଅନୁଷ୍ଠିତ ନିର୍ବାଚନରେ ନିର୍ବିବାଦରେ ସଭାପତି ନିର୍ବାଚିତ ହୋଇଥିଲେ। ତାଙ୍କ ବାସଭବନରେ ଓସ୍ଜାର ସଦସ୍ୟମାନେ ଉତ୍ତରୀୟ, ପୁଷ୍ପଗୁଚ୍ଛ ଏବଂ ଉପହାର ପ୍ରଦାନ କରିଥିଲେ।
ରାଜ୍ୟ ଓ ଦେଶରେ ହକି ପ୍ରସାର ବାବଦରେ ସଓଜାର ସଦସ୍ୟମାନଙ୍କ ସହ କଥା ହୋଇଥିଲେ ଦିଲୀପ। ଜାନୁଆରୀ ମାସରେ ଓଡ଼ିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ଆୟୋଜନ ତାଙ୍କ ପାଇଁ ପ୍ରଥମ ବଡ଼ ଆହ୍ବାନ। ଭାରତୀୟ ହକିର ପୁରୁଣା ଗଡ଼ ଭୋପାଳ, ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ଆଦିରୁ ପୁଣି ଭଲ ପ୍ରତିଭା ବାହାରନ୍ତି ସେଦିଗରେ ତାଙ୍କ ବିଶେଷ ଦୃଷ୍ଟି ରହିବ ବୋଲି ଦିଲୀପ କହିଥିଲେ। ରବିବାର ବହୁ ରାଜନେତା ଓ ଖେଳାଳି ଦିଲୀପଙ୍କ ବାସଭବନକୁ ଯାଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସେମାନଙ୍କ ଭିତରେ ସାମିଲ ଥିଲେ ଭାରତୀୟ ହକି ଦଳର ଦୁଇ ସଦସ୍ୟ ଅମିତ ରୋହିଦାସ ଓ ଦିପସାନ ର୍ତିକୀ, ଅଲିମ୍ପିଆନ୍ ଅନୁରାଧା ବିଶ୍ୱାଳ ତାଙ୍କ ଝିଅ ଜୁନିୟର ଆଥଲେଟ୍ ଆଶିଂକା। ଓସ୍ଜା ସଭାପତି ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି କେ. ରବିଙ୍କ ସହ ସୁରେଶ ସ୍ବାଇଁ, ଦେବାଶିଷ ସୁନ୍ଦରାୟ, ସମ୍ବିତ ମହାପାତ୍ର, ତପନ ସ୍ବାଇଁ, ତନ୍ମୟ ଦାସ, ବେଣୁଧର ଦାସ, ରଞ୍ଜନ ରାୟ, ଚକ୍ରଧର ମାଝି, କୁମାର ବିମଲ ଏବଂ ମହେନ୍ଦ୍ର ସାହୁ ଦିଲୀପଙ୍କୁ ଭେଟିଥିଲେ।