ଡିଲେଶ୍ୱର ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’

ଭୁବନେଶ୍ୱର,୨୯।୧୧(ଶର୍ମିଷ୍ଠା ପାଣିଗ୍ରାହୀ) : ଯୁବ ଗାଳ୍ପିକ ଡିଲେଶ୍ବର ରଣା ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୨୩’। କଳାହାଣ୍ଡି ମାଟିର ପୁଅ ଡିଲେଶ୍ବର ତାଙ୍କ ଲିଖିତ ପୁସ୍ତକ ‘ସେଁର୍‌ରା’ ପାଇଁ ଏହି ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏନେଇ ମଙ୍ଗଳବାର କେନ୍ଦ୍ର ସାହିତ୍ୟ ଏକାଡେମୀର ସଚିବ କେ. ଶ୍ରୀନିବାସ ରାଓ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏକ ସ୍ବତନ୍ତ୍ର ଉତ୍ସବରେ ପୁରସ୍କାର ବାବଦକୁ ଡିଲେଶ୍ୱରଙ୍କୁ ୫୦ ହଜାର ଟଙ୍କାର ଚେକ୍‌, ଫଳକ ଏବଂ ଉପଢୌକନ ପ୍ରଦାନ କରାଯିବ। ପ୍ରତିବର୍ଷ ଦେଶର ଭିନ୍ନ ଭିନ୍ନ ଭାଷାରେ ୩୫ ବର୍ଷ ବୟସ ମଧ୍ୟରେ ଥିବା ଯୁବ ଲେଖକଙ୍କୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ତେବେ ଏହି ପୁରସ୍କାରର ଚୂଡ଼ାନ୍ତ ଚୟନ ପ୍ରକ୍ରିୟାରେ ବିଚାରକ ଭାବେ ଲେଖକ ଡ. ବିଭୂତି ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ଦାଶ ବେନହୁର୍‌ ରହିଥିଲେ।
୧୯୯୪ରେ କଳାହାଣ୍ଡି ଜିଲାର ଧଅଁରାମାଲ ଗ୍ରାମରେ ଜନ୍ମିତ ଡିଲେଶ୍ୱର ଗଳ୍ପ, କବିତା, ଫିଚର, ଗୀତ ଆଦି ରଚନା କରନ୍ତି। ଏଥିସହ ଗୀତ ଓ ଅଭିନୟରେ ମଧ୍ୟ ତାଙ୍କର ରୁଚି ରହିଛି। କଥା ନବପ୍ରତିଭା ସମ୍ମାନ, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର, ନବନୀତା ପଲ୍ଲବନ ଶବ୍ଦ ସମ୍ମାନ, ତପସ୍ୟା ସମ୍ଭାବନା ସମ୍ମାନ ଆଦି ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି। ବର୍ତ୍ତମାନ ସେ ଭବାନୀପାଟଣାର ଏକ ସ୍କୁଲରେ ଶିକ୍ଷକତା ବୃତ୍ତିରେ ଅଛନ୍ତି। ପୁସ୍ତକଟି ପ୍ରକାଶନୀ ସଂସ୍ଥା ଟାଇମ୍‌ପାସ୍‌ ପକ୍ଷରୁ ୨୦୨୧ରେ ପ୍ରକାଶିତ ହୋଇଥିଲା। ଯୁବ ପୁରସ୍କାର ଘୋଷଣା ହେବା ପରେ ରଣା କହିଛନ୍ତି, ମୁଁ ଭାବି ନ ଥିଲି ମୋତେ ଏପରି ଏକ ମର୍ଯ୍ୟାଦାଜନକ ଜାତୀୟ ପୁରସ୍କାର ମିଳିବ। ଏହି ପୁରସ୍କାର ସମ୍ପର୍କରେ ଶୁଣିବା ପରେ ଖୁସି ଲାଗୁଛି। ଏଥିସହ ମୋର ଉତ୍ତରଦାୟିତ୍ୱ ଆହୁରି ବଢ଼ିଯାଇଛି। ଭାଷା ପାଇଁ ଆଗକୁ କିଛି କରିବାକୁ ମୁଁ ସବୁବେଳେ ଚେଷ୍ଟା କରିବି ବୋଲି ଡିଲେଶ୍ୱର କହିଛନ୍ତି।

 

ବିଳମ୍ବ ହେଲେ ବି ଓଡ଼ିଶାକୁ ମିଳିଲା
କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଦେଶର ମୋଟ ୨୪ଟି ଭାଷାରେ ଯୁବ ପୁରସ୍କାର ଦିଆଯାଇଥାଏ। ପୂର୍ବରୁ ଅର୍ଥାତ୍‌ ଚଳିତବର୍ଷ ଜୁନ୍‌ ୨୩ରେ ଦେଶର ଅନ୍ୟ ଆଞ୍ଚଳିକ ଭାଷାରେ ଯୁବ ପୁରସ୍କାର ଘୋଷଣା କରାଯାଇଥିଲା। ମାତ୍ର ଏଥିରୁ ଓଡ଼ିଶା ବାଦ୍‌ ପଡିଥିଲା। ପୁରସ୍କାର ସମ୍ପର୍କିତ ତଥ୍ୟ ପ୍ରଘଟ କାରଣରୁ ଆଞ୍ଚଳିକ ଭାଷା ଓଡ଼ିଆରେ ଏହି ପୁରସ୍କାର ଘୋଷଣା କରାଯାଇ ନ ଥିଲା। ତେବେ ପୁନଃ ଚୟନ ପ୍ରକ୍ରିୟା କରାଯାଇ ଏହି ପୁରସ୍କାର ଏବେ ଘୋଷଣା କରାଯାଇଛି। ବିଳମ୍ବ ହେଲେ ବି ଓଡ଼ିଶାକୁ ଯୁବ ପୁରସ୍କାର ମିଳିଥିବାରୁ ସାହିତି୍ୟକ ମହଲରେ ଖୁସି ଖେଳିଯାଇଛି।