Categories: ଖେଳ

ଏଲିନାଙ୍କୁ ଦିଲୀପଙ୍କ ପ୍ରଶଂସା

ରାଉରକେଲା,୧ା୩(ପି.ଟି.):ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଏଲିନା ନର୍ମାନ ମଙ୍ଗଳବାର ଇସ୍ତଫା ପ୍ରଦାନ କରିବା ପରେ ସଭାପତି ଦିଲୀପ ତିର୍କୀ ମୁହଁ ଖୋଲିଛନ୍ତି। ଜଣେ ସିଇଓ ଭାବରେ ଏଲିନା ଉଲ୍ଲେଖନୀୟ କାମ କରିବା ସହ ଭାରତରେ ହକିର ବିକାଶ କରିଛନ୍ତି ବୋଲି ସେ କହିଛନ୍ତି। ତେବେ ହକି ଇଣ୍ଡିଆରେ ଗୋଷ୍ଠୀ ବିବାଦ ଚାଲିଥିବା ନେଇ ଏଲିନା କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ। ଗୁରୁବାର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବାର୍ତ୍ତାଳାପ ସମୟରେ ସେ ଏହି ବୟାନ ଦେଇଛନ୍ତି। ତେବେ ଭାରତୀୟ ହକିର ବିକାଶରେ ଏଲିନାଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଦିଲୀପ। ସେ ଦାୟିତ୍ୱ ନେବା ପରଠାରୁ ଭାରତୀୟ ହକି ନିୟମିତ ସଫଳ ହୋଇଥିଲା ବୋଲି କହିଥିଲେ। ଏହା ସହ ଭାରତୀୟ ହକି ପ୍ରତି ଏଲିନାଙ୍କ ଅବଦାନକୁ ଆମେ ସମ୍ମାନ କରୁଛୁ ବୋଲି ସେ କହିଛନ୍ତି। ମଙ୍ଗଳବାର ଇସ୍ତଫା ପ୍ରଦାନ କରିବା ସହ ଗୋଷ୍ଠୀ ବିବାଦର ଅଭିଯୋଗ ଆଣିଥିଲେ ଏଲିନା। ସେ କହିଥିଲେ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଓ ମୁଁ ଗୋଟିଏ ଗୋଷ୍ଠୀରେ ଥିବାବେଳେ ମହାସଚିବ ଭୋଳାନାଥ ସିଂ, କାର୍ଯ୍ୟକାରୀ ନିର୍ଦ୍ଦେଶକ କମୋଡର ଆର୍‌. କେ. ଶ୍ରୀବାସ୍ତବ ଓ କୋଷାଧ୍ୟକ୍ଷ ଜେ. ମନୋହରନ ଅନ୍ୟ ଏକ ଗୋଷ୍ଠୀରେ ରହିଥିଲେ। ଦୁଇଟି ଗୋଷ୍ଠୀ ମଧ୍ୟରେ ଦ୍ୱନ୍ଦ୍ୱ ରହିଥିବା ବେଳେ ଆବଶ୍ୟକ ଫଳାଫଳ ମିଳିବା କଷ୍ଟକର ବୋଲି ସେ କହିଥିଲେ। ତେବେ ବୁଧବାର ଉଭୟ ଦିଲୀପ ଓ ଭୋଳାନାଥ ସିଂ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ଏଲିନା ନିଜ ବୟାନରେ ଦିଲୀପ ଭାରତୀୟ ହକିର ବିକାଶ ପାଇଁ କାର୍ଯ୍ୟ କରୁଥିବା ନେଇ କହିଥିବା ବେଳେ ଭୋଳାନାଥ କେବଳ କ୍ଷମତା ହାସଲ ପାଇଁ ଚାହାନ୍ତି ବୋଲି କହିଥିଲେ।
ଏହା ସହ ଭାରତୀୟ ମହିଳା ଦଳର ଖରାପ ପ୍ରଦର୍ଶନକୁ ନେଇ ଆଲୋଚନା ହେଉଥିବା ବେଳେ ଏହା ଉପରେ ମଧ୍ୟ ବୟାନ ଦେଇଛନ୍ତି ହକି ଇଣ୍ଡିଆ ସଭାପତି। ସେ କହିଛନ୍ତି ୨୦୨୩ରେ ଭାରତୀୟ ମହିଳା ହକି ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ତେବେ ଭାଗ୍ୟ ଭାରତର ସାଥ୍‌ ନ ଦେବା କାରଣରୁ ଆମେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲରେ ବିଫଳ ହୋଇଥିଲୁ। ଏଫ୍‌ଆଇଏଚ୍‌ ନେସନ୍ସ କପ୍‌, ଏସିଆନ୍‌ ଗେମ୍ସ ଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଥିଲେ ହେଁ ଯୋଗ୍ୟତା ହାସଲରେ ବିଫଳ ହୋଇଥିଲା। ଏହା ସହିତ ମହିଳା ହକି ଦଳର ବିଦାୟୀ କୋଚ୍‌ ଜାନେକ୍‌ ସ୍କୁପମାନଙ୍କୁ ମଧ୍ୟ ଦିଲୀପ ପ୍ରଶଂସା କରିଥିଲେ। ଭାରତୀୟ ଦଳ କାହିଁକି ବିଫଳ ହେଲା ଏହାର ବିଶ୍ଳେଷଣ ମଧ୍ୟ କରିଛୁ। ଆଉଥରେ ଆରମ୍ଭ କରିବା ପାଇଁ ଏହା ଲାଭଦାୟକ ହେବ। ମହିଳା ଦଳ ପାଇଁ ସମସ୍ତ ପ୍ରକାର ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଦିଲୀପ। ପୁରୁଷ ଦଳ ପ୍ୟାରିସ୍‌ ୨୦୨୪ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିବା ବେଳେ ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ବୋଲି ସେ କହିଛନ୍ତି।

Share