୨ ଦିନରେ ଦିଲଜୀତଙ୍କ ଫଲୋୟର୍ସ ସଂଖ୍ୟା ୪ ଲକ୍ଷ ବଢ଼ିଲା

ନୂଆଦିଲ୍ଲୀ, ୫।୧୨- ପଞ୍ଜାବୀ ଆକ୍ଟର ତଥା ସିଙ୍ଗର ଦିଲଜୀତ ଦୋସାଞ୍ଜ ଓ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ମଧ୍ୟରେ ଚାଲିଥିବା ଟୁଇଟର ଯୁଦ୍ଧ ଶେଷ ହୋଇନାହିଁ। ହେଲେ ଏହାର ପୂରା ଫାଇଦା ପାଇଛନ୍ତି ଦିଲଜୀତ। ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ପଞ୍ଜାବୀ ଷ୍ଟାରଙ୍କ ସହ ଦୁଇ ଦିନରେ ଯୋଡ଼ି ହୋଇଛନ୍ତି ୪ ଲକ୍ଷ ନୂଆ ୟୁଜର୍ସ। ଫଳରେ ଦିଲଜୀତଙ୍କ ଫଲୋୟର୍ସଙ୍କ ସଂଖ୍ୟା ୪.୩ ନିୟୁତରେ ପହଞ୍ଚିଛି।

କଙ୍ଗନା ଓ ଦିଲଜୀତଙ୍କ ମଧ୍ୟରେ ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଟୁଇଟର ଯୁଦ୍ଧରେ ୟୁଜର୍ସ ପଞ୍ଜାବୀ ଷ୍ଟାରଙ୍କୁ ସମର୍ଥନ କରୁଥିବା ସ୍ପଷ୍ଟ ଜଣାପଡ଼ୁଛି। ସୋସିଆଲ ମିଡିଆରେ ଦିଲଜୀତଙ୍କୁ କୁହାଯାଉଛି ଗୋଟ (ସର୍ବକାଳୀନ ବିଜେତା)। ଆଉ ଟ୍ରେଣ୍ଡ ଚାଲିଛି ହାସ୍‌ଟ୍ୟାଗ୍‌ ଦିଲଜୀତ ଡେଷ୍ଟ୍ରଏଡ୍‌ କଙ୍ଗନା।

ଉଲ୍ଲେଖଥାଉ କି, ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ
ସାମିଲ ହୋଇଥିବା ଜଣେ ବୃଦ୍ଧା ମହିଳାଙ୍କୁ ଶାହିନ ବାଗର ବିଲକିସ ବନୋ ବୋଲି ଚିହ୍ନଟ କରିଥିଲେ ବଲିଉଡ୍‌ କୁଇନ କଙ୍ଗନା। ଏହାକୁ ଦିଲଜୀତ ସମାଲୋଚନା କରିଥିଲେ। ଉକ୍ତ ମହିଳାଙ୍କ ନାମ ମହିନ୍ଦର କୌର ଥିବା ଏକ ଭିଡିଓ ଶେୟାର କରିଥିଲେ ଗୁଡ୍‌ ନ୍ୟୁଜ ଷ୍ଟାର ଦିଲଜୀତ। ଏହାପରେ କଙ୍ଗନା ନିଜ ପୋଷ୍ଟ ଡିଲିଟ୍‌ କରିବା ସହ ଦିଲଜୀତଙ୍କୁ ଫିଲ୍ମମେକର କରନ ଜୋହରଙ୍କ ପୋଷା ବୋଲି କହିଥିଲେ। ଏହିଠୁ ଆରମ୍ଭ ହୋଇଥିଲା ଦୁଇ ଷ୍ଟାରଙ୍କ ମଧ୍ୟରେ ଟୁଇଟର ଓ୍ବାର।

Share