କମୁଛି ମାଟି ଦୀପ ଚାହିଦା, ଚିନ୍ତାରେ କୁମ୍ଭକାର

ତେନ୍ତୁଳିଖୁଣ୍ଟି,୬।୧୧(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ଗ୍ରାମରେ ନବେରୁ ଊର୍ଦ୍ଧ୍ୱ କୁମ୍ଭକାର ପରିବାର ବାସ କରନ୍ତି। ସେଥିମଧ୍ୟରୁ ପ୍ରାୟତଃ ଅଧାରୁ ଅଧିକ କୌଳିକ ବୃତ୍ତିକୁ ମାଟି ନିର୍ମିତ ସାମଗ୍ରୀର ବଜାର ଚାହିଦା ନ ଥିବାରୁ ନିଜ ପରିବାର ପ୍ରତିପୋଷଣ ପାଇଁ ବିକଳ୍ପ ବ୍ୟବସାୟ ଆପଣେଇ ଲେଣି। ଦୀପ ର ପର୍ବ ଦୀପାବଳୀ ପାଇଁ କିନ୍ତୁ କୁମ୍ଭକାର ପରିବାରର ପ୍ରାୟ ସଭିଏଁ ପିଲାରୁ ବୟସ୍କ ଦୀପ ନିର୍ମାଣ କରିଥାନ୍ତି। ଚଳିତ ବର୍ଷ ଦୀପାବଳିକୁ ନେଇ ଆଶା ଓ ଆଶଙ୍କାରେ ଅଛନ୍ତି କୁମ୍ଭକାର ପରିବାର। ଦିନକୁ ଦିନ ମାଟିରେ ନିର୍ମିତ ଦୀପର ଚାହିଦା ହ୍ରାସ ପାଉଛି। ଏହାର ସ୍ଥାନ ଏବେ ଚାଇନା ସାମଗ୍ରୀ ଯଥା ବିଦ୍ୟୁତ୍‌ ଆଲୋକ ମାଳା ନଇଗଲାଣି। କୁମ୍ଭାର ପରିବାର ପ୍ରତିବର୍ଷ ଅଳ୍ପାଅଳ୍ପୀ ସାମଗ୍ରୀ ପ୍ରସ୍ତୁତ କରି ବ୍ୟବସାୟ କରୁଛନ୍ତି। ପ୍ଲାଷ୍ଟିକ, ରଙ୍ଗବେରଙ୍ଗ ଆଲୋକ ମାଳ ଓ ଦୀପ ଏବଂ ଅନ୍ୟ ଧାତବ ସାମଗ୍ରୀର ଚାହିଦା ବୃଦ୍ଧି ହେତୁ ମାଟି ପ୍ରସ୍ତୁତ ସାମଗ୍ରୀ ଲୋପ ପାଇବାକୁ ବସିଲାଣି। ହିନ୍ଦୁ ରୀତିନୀତି, ଦଶାହ କାର୍ଯ୍ୟ ଏବଂ ଦୀପାବଳି ଭଳି କିଛି କାର୍ଯ୍ୟ ହେତୁ କିଛି ମାତ୍ରାରେ ଏହି ବୃତି ଜୀବିତ ଅଛି। ନଚେତ ଡିଜିଟାଲ ଦୁନିଆରେ ଗ୍ରୀଟିଙ୍ଗସ ଲୋପ ପାଇବା ଭଳି ଏହି ବୃତି ମଧ୍ୟ ଲୋପ ପାଇଯାଇସାରନ୍ତା। କୁମ୍ଭକାରମାନେ ନିଜସ୍ବ ବୃତ୍ତି ଛାଡି ପାରୁନଥିବା ବେଳେ ସେମାନଙ୍କୁ କିନ୍ତୁ ଉପଯୁକ୍ତ ମୂଲ୍ୟ ମିଳୁନାହିଁ। ଚଳିତ ଦୀପାବଳିରେ ମାଟି ନୀପ କିଣିବାକୁ କୁମ୍ଭକାର ପରିବାର ଲୋକେ ନିବେଦନ କରିଛନ୍ତି। ତେବେ ପ୍ରଶାସନ ପକ୍ଷରୁ କୁମ୍ଭକାରଙ୍କ ବିକାଶ ତଥା ଏହି ପୁରାତନ କୌଳିକ ବୃତିକୁ ଅଭିନବ ଢଙ୍ଗରେ ପ୍ରକାଶ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Share