ଦିନେଶ ଗୁଣବର୍ଦ୍ଧେନା ହେଲେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ

କଲମ୍ବୋ,୨୨।୭: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ପରିସ୍ଥିତି ଧୀରେ ଧୀରେ ସୁଧୁରିବାକୁ ଯାଉଛି। ରାଷ୍ଟ୍ରପତିଙ୍କ ପରେ ଏବେ ଦେଶର ନୂତନ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇଛି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ଦିନେଶ ଗୁଣବର୍ଦ୍ଧେନା ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ଗୋଟାବାୟା ରାଜପାକ୍ସେ ସରକାରରେ ଦିନେଶ ଗୃହ ମନ୍ତ୍ରୀ ଥିଲେ। ଏହାସହ ନୂତନ ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ମଧ୍ୟ ଆଜି ଶପଥ ନେଇଥିଲେ।
ଏହାପୂର୍ବରୁ ଗୁରୁବାର ରାନିଲ ଓ୍ବିକ୍ରମସିଂଘେ ଦେଶର ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। ଦେଶରେ ନୂତନ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ମଧ୍ୟ ରାଜଧାନୀ କଲମ୍ବୋରେ ପୁଣି ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ ରାନିଲ ୱିକ୍ରମସିଂଘେଙ୍କୁ ବିରୋଧ କରୁଛନ୍ତି।
ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ପାଇଁ ଦେଶବାସୀ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କୁ ଦାୟୀ କରି ଆନ୍ଦୋଳନ କରିବା ପରେ ସେ ସିଙ୍ଗାପୁର ପଳାୟନ କରି ସେଠାରୁ ନିଜ ଇସ୍ତଫାପତ୍ର ପଠାଇଥିଲେ। ତାଙ୍କ ଉତ୍ତରାଧିକାରୀ ଭାବେ ଓ୍ବିକ୍ରମସିଂଘେଙ୍କ କାର୍ଯ୍ୟକାଳ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ରହିବ। ଶ୍ରୀଲଙ୍କାରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ଦୂର ପାଇଁ ରାନିଲ ଏବଂ ଦିନେଶଙ୍କୁ ବିଭିନ୍ନ ପଦକ୍ଷେପ ନେବାକୁ ପଡିବ।

Share