ଟିମ ଇଣ୍ଡିଆରୁ ବାଦ୍ ପଡିଥିବା ଉଇକେଟ କିପର-ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ‘ବ୍ୟାଟ୍କୁ ପଡ଼ୋଶୀଙ୍କ ସ୍ତ୍ରୀ’ଙ୍କ ସହ ତୁଳନା କରିବା ମହଙ୍ଗା ପଡିଛି। ଏବେ ଏହି ମନ୍ତବ୍ୟ ପାଇଁ ସେ କ୍ଷମା ମାଗିଛନ୍ତି। ଶ୍ରୀଲଙ୍କା ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ସିରିଜର ଦ୍ୱିତୀୟ ଦିନିକିଆରେ ସେ ବ୍ୟାଟ ଏବଂ ପଡ଼ୋଶୀ ସ୍ତ୍ରୀଙ୍କୁ ତୁଳନା କରିଥିଲେ। ଏହା ପରେ ସୋସିଆଲ ମିଡିଆରେ ତାଙ୍କୁ ବହୁତ ସମାଲୋଚନା କରାଯାଇଥିଲା ଏବଂ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଥିଲା। ଗତ ମାସରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲ (ଡବ୍ଲୁଟିସି ଫାଇନାଲ) ସମୟରେ କାର୍ତ୍ତିକ ପ୍ରଥମ ଥର ପାଇଁ କମେଣ୍ଟ୍ରି କରିଥିଲେ। ସେ ଶ୍ରୀଲଙ୍କା ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ସିରିଜରେ ମଧ୍ୟ ସେ କମେଣ୍ଟ୍ରି କରୁଛନ୍ତି।
ଦ୍ୱିତୀୟ ଦିନିକିଆରେ ୩୬ ବର୍ଷୀୟ କାର୍ତ୍ତିକ କହିଥିଲେ ଯେ, ଅଧିକାଂଶ ବ୍ୟାଟ୍ସମ୍ୟାନ ତାଙ୍କ ବ୍ୟାଟ ପସନ୍ଦ କରନ୍ତି ନାହିଁ। ସେମାନେ ହୁଏତ ଅନ୍ୟର ବ୍ୟାଟ ପସନ୍ଦ କରନ୍ତି। ବ୍ୟାଟ୍ସ ସବୁବେଳେ ପଡ଼ୋଶୀଙ୍କ ସ୍ତ୍ରୀ ପରି, ଯାହା ଅନ୍ୟମାନଙ୍କୁ ସର୍ବଦା ପସନ୍ଦ ଆସେ। ତାଙ୍କ ମନ୍ତବ୍ୟର ତିନି ଦିନ ପରେ କାର୍ତ୍ତିକ ଲୋକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି ଯେ, ଏଭଳି ମନ୍ତବ୍ୟ ପାଇଁ ସେ ତାଙ୍କ ମା ଏବଂ ସ୍ତ୍ରୀଙ୍କଠାରୁ ଗାଳି ଖାଇଥିଲେ। ତେଣୁ ସେ ଏଥିପାଇଁ ଦୁଃଖିତ ଏବଂ ଏହା ଆଉ ଘଟିବ ନାହିଁ ବୋଲି ସେ କହିଛନ୍ତି।