Categories: ଖେଳ

ହନୁମା ରହିବେ, ରାହାନେ ନ ହେଲେ ପୂଜାରା ବାହାରିବେ

ନୂଆଦିଲ୍ଲୀ,୪।୧: ପିଠି ଯନ୍ତ୍ରଣା ହେତୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ସିରିଜ୍‌ର ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ଏଭଳି ସ୍ଥିତିରେ ସିରିଜର ତୃତୀୟ ଟେଷ୍ଟରେ କୋହଲି ପ୍ରତ୍ୟାବର୍ତ୍ତନ କଲେ କାହାର ସ୍ଥାନ ନେବେ ସେନେଇ ଆଲୋଚନା ହେବାରେ ଲାଗିଛି। କାରଣ ବିରାଟ ବାହାର ହେବା ପରେ ହନୁମା ବିହାରୀ ତାଙ୍କ ସ୍ଥାନ ନେଇଥିଲେ। ଏବେ ସେ ଫେରିଲେ କ’ଣ ହେବ ସେ ବିଷୟରେ ଭେଟେରାନ ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଭବିଷ୍ୟବାଣୀ କରିଛନ୍ତି।

କ୍ରିକବଜ୍‌ ସହ ସାକ୍ଷାତକାରରେ ଦୀନେଶ କହିଛନ୍ତି, ବିରାଟ ପ୍ରତ୍ୟାବର୍ତ୍ତନ କଲେ ବି ହନୁମା ଦଳରେ ରହିବେ। ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ହନୁମା ମାତ୍ର ୨୦ ରନ କରିଥିଲେ। ହେଲେ ବିରାଟ ଫେରି ହନୁମାଙ୍କୁ ଦଳରୁ ବାହାର କରିଦେବେ ନାହିଁ। ତାଙ୍କ ବଦଳରେ ଅଜିଙ୍କ୍ୟ ରାହାନେ ଏବଂ ଚେତେଶ୍ୱର ପୂଜାରା ମଧ୍ୟରୁ ଜଣେ ଖେଳାଳିଙ୍କ ବାହାର ହେବେ ବୋଲି ସେ କହିଛନ୍ତି।

ଏହାଛଡ଼ା ସେ କହିଛନ୍ତି, ତିନି ବର୍ଷ ଧରି ବିଶ୍ୱର ଶୀର୍ଷ ଦଳରେ ୩ନଂ ସ୍ଥାନରେ ବିନା ଶତକରେ ୩ ବର୍ଷ ଧରି ଖେଳିଛନ୍ତି। ପୂଜାରା ଜାଣନ୍ତି ତାଙ୍କୁ ଅନେକ ସୁଯୋଗ ଦିଆଯାଇଛି। ତଥାପି ସେ ଦଳରେ ଅଛନ୍ତି କାରଣ ବିଗତ ଦିନର ପରିସଂଖ୍ୟାନ ଏବଂ ତାଙ୍କ ଅଭିଜ୍ଞତା ବହୁତ କିଛି କହୁଛି । ହେଲେ ଏବେ ଉଭୟଙ୍କ ମଧ୍ୟରୁ ଜଣଙ୍କୁ ବାହାର କରାଯିବ ବୋଲି ଦୀନେଶ କହିଛନ୍ତି।

Share