Categories: ବାଣିଜ୍ୟ

ଏସ୍‌ବିଆଇର ନୂଆ ମୁଖ୍ୟ ହେବେ ଦିନେଶ ଖାରା

ନୂଆଦିଲ୍ଲୀ,୨୯।୮: ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ର ନୂଆ ଅଧ୍ୟକ୍ଷ ଭାବେ ଦିନେଶ ଖାରା ଅକ୍ଟୋବରରେ ଦାୟିତ୍ୱ ଗ୍ରହଣ କରିବେ। ବ୍ୟାଙ୍କ ବୋର୍ଡ ବ୍ୟୁରୋ(ବିବିବି) ଶୁକ୍ରବାର ଖାରାଙ୍କ ନାମକୁ ସୁପାରିସ କରିଥିବା ଜଣାପଡ଼ିଛି। ଖାରା ବର୍ତ୍ତମାନ ଏସ୍‌ବିଆଇରେ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଭାବେ କାର୍ଯ୍ୟ କରୁଛନ୍ତି। ବ୍ୟାଙ୍କର ଏମ୍‌ଡିଙ୍କ ମଧ୍ୟରେ ସେ ସବୁଠାରୁ ବରିଷ୍ଠ। ବର୍ତ୍ତମାନ ଏସ୍‌ବିଆଇର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ରଜନୀଶ କୁମାରଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଅକ୍ଟୋବର ୭ରେ ଶେଷ ହେଉଛି। କୁମାର ୩ ବର୍ଷ ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ ହୋଇଥିଲେ। ତାଙ୍କ ପରେ ଖାରା ନୂଆ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡିଛି। ଏହି ପଦବୀ ଦୌଡ଼ରେ ଏସ୍‌ବିଆଇର ୪ ଏମ୍‌ଡି ରହିଥିଲେ। ଶୁକ୍ରବାର ଏଥିଲାଗି ସାକ୍ଷାତ୍‌କାର ଅନୁଷ୍ଠିତ ହୋଇଥିଲା। ଅଭିଜ୍ଞତା,ପର୍‌ଫରମାନ୍ସ ଆଧାରରେ ଖାରାଙ୍କ ନାମକୁ ବିବିବି ସୁପାରିସ କରିଥିବା ବେଳେ ବ୍ୟାଙ୍କର ଏମ୍‌ଡି ସି.ଏସ୍‌. ସେଟ୍ଟୀଙ୍କ ନାମକୁ ବିବିବି ଏହି ପଦବୀ ଲାଗି ରିଜର୍ଭ ତାଲିକାରେ ରଖିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଏସ୍‌ବିଆଇର ଏମ୍‌ଡିଙ୍କ ମଧ୍ୟରୁ ଅଧ୍ୟକ୍ଷ ପଦବୀ ପୂରଣ ହୋଇଥାଏ।

Share