Categories: ଜାତୀୟ

ରାଜ୍ୟ ସଭାରୁ ଦିନେଶଙ୍କ ଇସ୍ତଫା

ନୂଆଦିଲ୍ଲୀ, ୧୩।୨: ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ଦିନେଶ ତ୍ରିବେଦୀ ଶୁକ୍ରବାର ରାଜ୍ୟ ସଭାରୁ ଇସ୍ତଫା ଦେଇଛନ୍ତି। ଫଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ପଶ୍ଚିମବଙ୍ଗରେ ଶାସକ ଦଳକୁ ଆଉ ଏକ ଧକ୍କା ଲାଗିଛି। ତାଙ୍କୁ ପାର୍ଲାମେଣ୍ଟକୁ ପଠାଇଥିବା ଟିଏମ୍‌ସିକୁ ଦିନେଶ କୃତଜ୍ଞତା ଜଣାଇଛନ୍ତି। ତେବେ ରାଜ୍ୟରେ ହିଂସା ଯୋଗୁ ସେ କିଛି କରିବାକୁ ସମର୍ଥ ନ ଥିଲେ ଏବଂ ଶ୍ୱାସରୁଦ୍ଧ ହେଲା ଭଳି ଅନୁଭବ କରୁଥିଲେ ବୋଲି କହିଛନ୍ତି। ପାର୍ଲାମେଣ୍ଟରେ ବସି ଯଦି କିଛି କରି ନ ପାରିଲେ ଇସ୍ତଫା ଦେଇଦେବା ଆବଶ୍ୟକ ବୋଲି ଅନ୍ତରାତ୍ମା ତାଙ୍କୁ କହିଥିଲା। ତେବେ ସେ ପଶ୍ଚିମବଙ୍ଗ ଲୋକଙ୍କ ପାଇଁ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି। ଦଳ ଭିତରେ ଅନେକେ ତାଙ୍କ ଭଳି ଅନୁଭବ କରୁଛନ୍ତି। ଟିଏମ୍‌ସି ଆଉ ମମତା ବାନାର୍ଜୀଙ୍କ ପାର୍ଟି ହୋଇ ରହିନାହିଁ ବୋଲି ଦିନେଶ କହିଥିଲେ। ଲିଖିତ ଇସ୍ତଫାପତ୍ର ଦାଖଲ କରିବା ପାଇଁ ରାଜ୍ୟ ସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ତାଙ୍କୁ ପରାମର୍ଶ ଦେଇଥିଲେ।
ଦିନେଶ ରାଜ୍ୟ ସଭାରୁ ଇସ୍ତଫା ଘୋଷଣା କରିବାର କିଛି ସମୟ ପରେ ଭାଜପା ତାଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ବୋଲି କହିଛି। ଦିନେଶ ଭାଜପା ନେତାଙ୍କ ସହ ସମ୍ପର୍କରେ ଥିବା ଦଳର ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗୀୟ କହିଛନ୍ତି। ତାଙ୍କ ଭଳି ବରିଷ୍ଠ ନେତା ଦଳ ଛାଡ଼ୁଥିବାରୁ ଟିଏମ୍‌ସିରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନ ଥିବା ସ୍ପଷ୍ଟ ହୋଇଛି ବୋଲି ବିଜୟଭର୍ଗୀୟ ମତ ଦେଇଛନ୍ତି।

Share