ହଁ ଶୁଣିବାକୁ ଲାଗିଥିଲା ବର୍ଷେ

ଧର୍ମଶାଳା ମହାବିଦ୍ୟାଳୟରେ ମୁଁ ଯୁକ୍ତ ତିନି ପଢିବା ବେଳେ ଯୁକ୍ତ ୨ରେ ପଢୁଥିଲେ ତନୁଜା। ପ୍ରଥମ ଦେଖାରୁ କେଜାଣି କାହିଁକି ସେ ଖୁବ୍‌ ଭଲ ଲାଗିଥିଲେ ମୋତେ। ଯଦିଓ କଲେଜରେ ପଢିବା ସମୟରେ ଆମେ ହାତ ଗଣତି ମାତ୍ର ୪-୫ ଥର ହିଁ କଥା ହେଇଛୁ, କିନ୍ତୁ ତାଙ୍କୁ କଲେଜରେ ଦେଖିଦେଲେ ଖୁସିଲାଗୁଥିଲା। ହେଲେ ପଢା ସରିବା ପରେ ଯେବେ ମୋର କଲେଜ ଯିବା ସହ ତାଙ୍କୁ ଦେଖିବା ବନ୍ଦ ହୋଇଗଲା, ମୁଁ ତାଙ୍କୁ ମିସ୍‌ କଲି ଆଉ ନିଜ ଭିତରେ ଥିବା ତାଙ୍କ ପ୍ରତି ଭଲ ପାଇବାକୁ ଅନୁଭବ କଲି। ଆଉ ବିଳମ୍ବ ନ କରି ଦିନେ ଦେଖା କରି ମନ କଥା ଖୋଲି କହିଦେଲି ସତ, ହେଲେ ତାଙ୍କ ନିରବତା ଭାରି କଷ୍ଟ ଦେଇଥିଲା। ତା’ ପରେ ଅନେକ ଥର ଦେଖା ହେଇଛୁ, କଥା ହେଇଛୁ, ହସ ଖୁସି କରିଛୁ, କିନ୍ତୁ ଏସବୁ ମୋତେ ସେତେଟା ଖୁସି ଦେଉ ନ ଥିଲା। କାରଣ ମନ ଭିତରେ ଅପେକ୍ଷା ଥିଲା ତାଙ୍କଠାରୁ ମୋ ପ୍ରପୋଜର ଉତ୍ତର ଶୁଣିବାକୁ। ଇତି ମଧ୍ୟରେ ପାଖା ପାଖି ବର୍ଷେ ବିତିଗଲା। ଫାଇନାଲି, ସେଦିନ ଆସିଗଲା। ତାଙ୍କ ଠାରୁ ହଁ ଶୁଣିବା ପରେ ମୋ ଖୁସିର ସୀମା ରହି ନ ଥିଲା। ତା’ ପରେ ଉଭୟ ପରିବାରକୁ ଏକଥା ଜଣାଇଲୁ ଏବଂ ବାହାଘର ହେଲା। ନିଜ ମନର ମଣିଷକୁ ଜୀବନସାଥି ଭାବେ ପାଇବାର ଅପୂର୍ବ ଖୁସି ଅବର୍ଣ୍ଣନୀୟ। ତେଣୁ ଆମ ପାଇଁ କେବଳ ଏଇ ଭ୍ୟାଲେଣ୍ଟାଇନ୍ସ ଡେ’ ନୁହେଁ ସବୁଦିନ ସ୍ପେଶାଲ୍‌।

Share