ଆଜି ବିଧାୟିକା ଭାବେ ଶପଥ ନେବେ ଦୀପାଳି

ଭୁବନେଶ୍ବର,୧୫ା୫(ବ୍ୟୁରୋ): ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ ରବିବାର ଭୁବନେଶ୍ୱରରେ ପହଞ୍ଚିବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଛନ୍ତି। ଝାରସୁଗୁଡ଼ା ଲୋକଙ୍କ ପାଇଁ ସମର୍ପିତ ହୋଇ କାମ କରିବାକୁ ଦୀପାଳିଙ୍କୁ ନବୀନ ପରାମର୍ଶ ଦେଇଛନ୍ତି। ଦୀପାଳି କହିଛନ୍ତି ଯେ, ଏହା ଝାରସୁଗୁଡ଼ାବାସୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିଜୟ। ଉପନିର୍ବାଚନ ପାଇଁ ସମସ୍ତେ ବହୁତ ପରିଶ୍ରମ କରିଛନ୍ତି। ବାପାଙ୍କ ସ୍ବପ୍ନ ଥିଲା ଝାରସୁଗୁଡ଼ାର ନୂତନ ନିର୍ମାଣ। ବାପାଙ୍କ ଦ୍ବାରା କରାଯାଇଥିବା ବିକାଶ କାର୍ଯ୍ୟ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଝାରସୁଗୁଡ଼ାରେ ହାର୍ଟ ହସ୍ପିଟାଲ, କ୍ୟାନସର ହସ୍ପିଟାଲ, ଓଭରବ୍ରିଜର ସ୍ବପ୍ନ ଖୁବ୍‌ଶୀଘ୍ର ପୂରଣ ହେବ। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡ଼ାବାସୀଙ୍କ ସ୍ବପ୍ନ ସାକାର କରିବି ବୋଲି ଦୀପାଳି କହିଛନ୍ତି। ସେ ଆହୁରି କହିଛନ୍ତି, ତାଙ୍କର ସୌଭାଗ୍ୟ ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ଝିଅ ଭଳି ଭାବୁଛନ୍ତି। ଜନତା ଓ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦର ହାତ ତାଙ୍କ ମୁଣ୍ଡରେ ରହିଛି ବୋଲି ସେ କହିଛନ୍ତି। ଅନ୍ୟପଟେ ସୋମବାର ୧୦ଟା ୪୫ରୁ ୧୧ ମଧ୍ୟରେ ବିଧାୟିକା ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ବାଚସ୍ପତି ତାଙ୍କ ପଦରୁ ଇସ୍ତଫା ଦେଇସାରିଥିବା ବେଳେ ଉପବାଚସ୍ପତି ରଜନୀକାନ୍ତ ସିଂ ତାଙ୍କୁ ଶପଥ ପାଠ କରାଇବେ।
ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ୍‌ ହୋଇଥିବା ବେଳେ ଗତ ୧୩ ତାରିଖରେ ଗଣତି ସରିଛି। ଏହି ଆସନରୁ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ସେ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ ହଜାର ୭୨୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସେ ମୋଟ୍‌ ୧,୦୭,୧୯୮ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ତାଙ୍କ ବିପକ୍ଷରେ ଭାଜପାରୁ ପ୍ରାର୍ଥୀ ହୋଇଥିବା ଟଙ୍କଧର ତ୍ରିପାଠୀ ୫୮, ୪୭୭ ଖଣ୍ଡ ଭୋଟ୍‌ ପାଇଛନ୍ତି।

Share