ବ୍ରିକ୍ସ ସମ୍ମିଳନୀ ପାଇଁ ପୁଟିନଙ୍କୁ କୂଟନୈତିକ ସୁରକ୍ଷା…

କେପଟାଉନ,୩୦।୫ : ଚଳିତ ବର୍ଷ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଦେଶର ଅନ୍ୟ ଅଧିକାରୀମାନଙ୍କୁ ଦକ୍ଷିଣ ଆଫ୍ରିକା ସରକାର କୂଟନୈତିକ ସୁରକ୍ଷା ପ୍ରଦାନ କରିଛନ୍ତି।

ପୁଟିନ ଏବଂ ଅନ୍ୟ ଅଧିକାରୀମାନଙ୍କୁ ଦିଆଯାଇଥିବା କୂଟନୈତିକ ସୁରକ୍ଷା ସେମାନଙ୍କୁ ବ୍ୟକ୍ତିଗତ ଗିରଫ କିମ୍ବା ନଜରବନ୍ଦୀରୁ ସୁରକ୍ଷା ଦେବ। ଦକ୍ଷିଣ ଆଫ୍ରିକା ଭିତ୍ତିକ ଡେଲି ମାଭେରିକର ଏକ ରିପୋର୍ଟ ଅନୁଯାୟୀ, ଅନ୍ତର୍ଜାତୀୟ ସମ୍ପର୍କ ତଥା ସହଯୋଗ ମନ୍ତ୍ରୀ ନାଲଡେ ପାଣ୍ଡୋର ବ୍ରିକ୍ସ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଯୋଗଦେଉଥିବା ସମସ୍ତ ଅନ୍ତର୍ଜାତୀୟ ଅଧିକାରୀଙ୍କୁ କୂଟନୈତିକ ସୁରକ୍ଷା ତଥା ସୁବିଧା ପାଇଁ ଏକ ଗେଜେଟେଡ ବିଜ୍ଞପ୍ତି ଜାରି କରିଛନ୍ତି।

ହେଗରେ ଥିବା ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ରୁଷିଆର ରାଷ୍ଟ୍ରପତି ପୁଟିନ ଏବଂ ରୁଷିଆର କମିଶନରଙ୍କ ବିରୋଧରେ ୟୁକ୍ରେନ ଆକ୍ରମଣ ତଥା ଅଧିକୃତ ଅଞ୍ଚଳରୁ ୟୁକ୍ରେନ ପିଲାମାନଙ୍କୁ ଦେଶରୁ ବିତାଡିତ କରିବା ଅଭିଯୋଗରେ ଗିରଫ ପରୱାନା ଜାରି କରିଛନ୍ତି। ଗିରଫ ୱାରେଣ୍ଟ ଚଳିତ ବର୍ଷ ମାର୍ଚ୍ଚରେ ଜାରି କରାଯାଇଥିଲା। ସେବେଠାରୁ ରାଷ୍ଟ୍ରପତି ପୁଟିନ କ୍ୱଚିତ ରୁଷିଆ ବାହାରେ ପାଦ ଦେଇଛନ୍ତି।

ବ୍ରିକ୍ସ ସମ୍ମିଳନୀ ଚଳିତ ବର୍ଷ ଅଗଷ୍ଟରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ପାଇଁ ଦକ୍ଷିଣ ଆଫ୍ରିକା ମଧ୍ୟ ରାଷ୍ଟ୍ରପତି ପୁଟିନଙ୍କୁ ନିମନ୍ତ୍ରଣ କରିଛି। କିନ୍ତୁ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଏହି ସମ୍ମିଳନୀରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।

Share