ହୋଇପାରିଲାନି ସାମୁଦ୍ରିକ ଜୀବନ ରକ୍ଷା ଚୁକ୍ତିନାମା

ଜାତିସଂଘ, ୨୮ା୮: ସାମୁଦ୍ରିକ ଜୀବନ ରକ୍ଷା ନିମନ୍ତେ ଜାତିସଂଘ ପକ୍ଷରୁ ପ୍ରସ୍ତୁତ ଏକ ଚୁକ୍ତିନାମାକୁ ଚୂଡ଼ାନ୍ତ କରିବାରେ ବିଭିନ୍ନ ରାଷ୍ଟ୍ରର କୂଟନୀତିଜ୍ଞମାନେ ବିଫଳ ହୋଇଛନ୍ତି। ୨ ସପ୍ତାହ ଧରି ଏହା ଉପରେ ଆଲୋଚନା ସତ୍ତ୍ୱେ ଶନିବାର ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ୫ମ ପର୍ଯ୍ୟାୟ ବୁଝାମଣା ବାତିଲ ହୋଇଛି। ପ୍ର୍ରସ୍ତାବିତ ଡିଲ୍‌ରେ ସାମୁଦ୍ରିକ ଅଞ୍ଚଳରେ ବାସ କରୁଥିବା ଜୀବଜଗତର ଦୁଇ-ତୃତୀୟାଂଶଙ୍କୁ ସୁରକ୍ଷା ଯୋଗାଇବା ନିମନ୍ତେ ବିଭିନ୍ନ ନିୟମ ରଖାଯାଇଥିଲା। ସେମାନଙ୍କୁ ମନୁଷ୍ୟକୃତ କାର୍ଯ୍ୟକଳାପରୁ ଦୂରେଇ ରଖାଯିବା, ସ୍ବଳ୍ପ ଆୟକାରୀ ଦେଶକୁ ମହାସାଗର ଅନ୍ବେଷଣରେ ସହାୟତା ଯୋଗାଯିବା ସହ ଜଳଜୀବଙ୍କ ସୁରକ୍ଷା ଦିଗରେ ତାଲିମ ପ୍ରଦାନ ଆଦି ଏଥିରେ ଅନ୍ତର୍ଭୁକ୍ତ ଥିଲା। କୌଣସି ନିଷ୍କର୍ଷରେ ଏହି ଚୁକ୍ତି ପହଞ୍ଚି ନ ପାରିବାକୁ ନେଇ ପରିବେଶବିତ୍‌ ଏବଂ ଜଳବାୟୁ ସୁରକ୍ଷା ଅଭିଯାନରେ ସାମିଲ କର୍ମୀମାନେ ନିରାଶ ହୋଇଛନ୍ତି। ଗ୍ରୀନ୍‌ ପିସ୍‌ର ସମୁଦ୍ର ସୁରକ୍ଷା କ୍ୟାମ୍ପେନ୍‌ ଚଳାଉଥିବା ଲୌରା ମିଲର ଚୁକ୍ତି ଧିମେଇବା ପାଇଁ ଆମେରିକା ସମେତ ଧନୀ ରାଷ୍ଟ୍ରଗୁଡ଼ିକୁ ଦାୟୀ କରିଛନ୍ତି। ଚୁକ୍ତିନାମା ପ୍ରକ୍ରିୟାରେ ଭାଗ ନେବାକୁ ମନା କରିଦେଇଥିବା ଏବଂ ୟୁରୋପୀୟ ସଂଘ ଓ ରାଷ୍ଟ୍ରଗୁଡ଼ିକ ସହ ଆପୋସ ବୁଝାମଣା କରିବାକୁ ରାଜି ନ ଥିବା ରୁଷିଆ ମଧ୍ୟ ଏହି ପ୍ରଚେଷ୍ଟା ସଫଳ ନ ହେବା ପାଇଁ ଦାୟୀ ବୋଲି ସେ କହିଛନ୍ତି। ୨୦୨୨ ଶେଷ ପୂର୍ବରୁ କୌଣସି ସ୍ବତନ୍ତ୍ର ଜରୁରିକାଳୀନ ଅଧିବେଶନ ଡକା ନ ଗଲେ ଜାତିସଂଘରେ ଏହି ଆଲୋଚନା ପୁଣି ଆଗେଇବ ବୋଲି ଜଣାଯାଇଛି।

Share