Categories: ଖେଳ

ଇତିହାସ ସୃଷ୍ଟି କଲେ ଦୀପ୍ତି ଶର୍ମା

କେପଟାଉନ୍‌, ୧୫।୨: ମହିଳା ଟି-୨୦ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ ୧୧୯ ରନର ବିଜୟ ଲକ୍ଷ୍ୟ ରଖିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୨୦ ଓଭରରେ ୬ ଉଇକେଟ ହରାଇ ୧୧୮ ରନ ସଂଗ୍ରହ କରିଥିଲା। ଏହି ମ୍ୟାଚ୍‌ରେ ଦୀପ୍ତି ଶର୍ମା ଭାରତ ପାଇଁ ଇତିହାସ ସୃଷ୍ଟି କରିଥିଲେ। ସେ ମ୍ୟାଚରେ ଚାରି ଓଭରରେ ୧୫ ରନ ଦେଇ ୩ଟି ଉଇକେଟ ନେଇଥିଲେ। ୩ଟି ଉଇକେଟ ନେବା ସହ ସେ ଟି-୨୦ରେ ଭାରତ ପାଇଁ ସର୍ବାଧିକ ଉଇକେଟ ନେଇଥିବା କ୍ରିକେଟର୍‌ ହୋଇଛି। ଏହି କ୍ରମରେ ସେ ପୁନମ ଯାଦବ (୯୮ ଉଇକେଟ)ଙ୍କୁ ପଛରେ ପକାଇଛନ୍ତି। ଏହା ବ୍ୟତୀତ ଦୀପ୍ତି ଅନ୍ତର୍ଜାତୀୟ ଟି-୨୦ରେ ୧୦୦ ଉଇକେଟ ମଧ୍ୟ ପୂରଣ କରିଛନ୍ତି। ପ୍ରଥମ ଭାରତୀୟ ଭାବେ ସେ ପୁରୁଷ ଏବଂ ମହିଳା ଅନ୍ତର୍ଜାତୀୟ ଟି-୨୦ରେ ୧୦୦ ଉଇକେଟ ମାର୍କ ଛୁଇଁଛନ୍ତି। ଭାରତର ପୁରୁଷ କ୍ରିକେଟରଙ୍କ ମଧ୍ୟରେ ୟୁଜଭେନ୍ଦ୍ର ଚହଲ ସର୍ବାଧିକ ଉଇକେଟ ନେଇଛନ୍ତି। ସେ ୯୧ ଉଇକେଟ ନେଇଛନ୍ତି। ଏଥିସହିତ ୧୦୦ ଉଇକେଟ ମାର୍କ ଛୁଇଁଥିବା ମହିଳାମାନଙ୍କ ମଧ୍ୟରେ ଦୀପ୍ତି ନବମ ବୋଲର। ଦୀପ୍ତି ଏପର୍ଯ୍ୟନ୍ତ ଭାରତ ପାଇଁ ୮୯ ଟି-୨୦ ମ୍ୟାଚରେ ୧୦୦ ଉଇକେଟ ନେଇଛନ୍ତି। ୱେଷ୍ଟଇଣ୍ଡିଜ୍‌ର ଅନିସା ମହମ୍ମଦଙ୍କ ନାମରେ ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ଉଇକେଟ ନେଇଥିବା ରେକର୍ଡ ରହିଛି। ସେ ୧୨୫ ଉଇକେଟ ନେଇଛନ୍ତି।

Share