Categories: ଖେଳ

ବଜରଙ୍ଗ, ଭିନେଶଙ୍କୁ ସିଧାସଳଖ ଏଣ୍ଟ୍ରି

ନୂଆଦିଲ୍ଲୀ, ୧୯ା୭ (ପି.ଟି.): ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ଓ ବିଶ୍ୱ ଚାମ୍ପିୟନଶିପ୍‌ ପଦକ ବିଜେତା ଭିନେଶ ଫୋଗଟ୍‌ଙ୍କୁ ଏସିଆନ ଗେମ୍ସ ପାଇଁ ସିଧାସଳଖ ଏଣ୍ଟ୍ରି ଦେଇଛି ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ଆଡହକ୍‌ ପ୍ୟାନେଲ। ଜାତୀୟ ମୁଖ୍ୟ କୋଚ୍‌ମାନଙ୍କ ବିନା ପରାମର୍ଶରେ ମଙ୍ଗଳବାର ଏହି ନିଷ୍ପତ୍ତି ନିଆଯାଇଛି। ଭାରତୀୟ ଅଲିମ୍ପିକ ଆସୋସିଏଶନ ଦ୍ୱାରା ଗଠିତ ଏହି ଆଡହକ୍‌ କମିଟି ତରଫରୁ ଏକ ସର୍କୁଲାର ଜାରି କରାଯାଇଛି। ପରୁଷ ଫ୍ରିଷ୍ଟାଇଲ ୬୫କେଜି ଏବଂ ମହିଳା ୫୩କେଜି ଶ୍ରେଣୀ ପାଇଁ ଚୟନ କାର୍ଯ୍ୟ ସରିଛି, କିନ୍ତୁ ସମସ୍ତ ୬ଟି କାଟେଗୋରିର ପ୍ରତ୍ୟେକ ୩ ଷ୍ଟାଇଲ ପାଇଁ ସିଲେକ୍ସନ ଟ୍ରାଏଲ ଅନୁଷ୍ଠିତ ହେବ। ଆଡହକ୍‌ ପ୍ୟାନେଲ ସର୍କୁଲାରରେ ବଜରଙ୍ଗ ଓ ଭିନେଶଙ୍କ ନାମ ଉଲ୍ଲେଖ କରାଯାଇନାହିଁ। ପ୍ୟାନେଲର ଅନ୍ୟତମ ସଦସ୍ୟ ଅଶୋକ ଗର୍ଗ କିନ୍ତୁ ସ୍ପଷ୍ଟ କରିଛନ୍ତି ଯେ, ଦୁଇଜଣ କୁସ୍ତି ଯୋଦ୍ଧାଙ୍କୁ ଟ୍ରାଏଲ୍ସରୁ ଛାଡ଼ କରାଯାଇଛି। ଏସିଆନ ଗେମ୍ସ ଚାଇନିଜ୍‌ ସହର ହାଙ୍ଗଝୋଠାରେ ସେପ୍ଟେମ୍ବର ୨୩ରୁ ଆରମ୍ଭ ହେବ। ଏଥିପାଇଁ କୁସ୍ତି ଦଳ ମନୋନୟନ ଲାଗି ହେବାକୁ ଥିବା ଟ୍ରାଏଲ୍ସର ୪ ଦିନ ପୂର୍ବରୁ ଆଡହକ ପ୍ୟାନେଲ ଏହି ନିଷ୍ପତ୍ତି ନେଇଛି। ଗ୍ରୀକୋ-ରୋମାନ ଏବଂ ମହିଳା ଫ୍ରିଷ୍ଟାଇଲ ଟ୍ରାଏଲ୍ସ ଜୁଲାଇ ୨୨ରେ ଏବଂ ପୁରୁଷ ଫ୍ରିଷ୍ଟାଇଲ ଟ୍ରାଏଲ୍ସ ୨୩ରେ ନୂଆଦିଲ୍ଲୀସ୍ଥିତ ଆଇଜି ଷ୍ଟାଡିୟମରେ ହେବ। ବ୍ରିଜଭୂଷଣଙ୍କ ଗିରଫ ଦାବିରେ ଯନ୍ତରମନ୍ତରରେ ଧାରଣାରେ ବସିଥିବା ୬ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ୬୫କେଜି କୁସ୍ତିଯୋଦ୍ଧା ବଜରଙ୍ଗ ଅନ୍ୟତମ। ସେ ବର୍ତ୍ତମାନ କିରଗିଜସ୍ତାନର ଇସିକୁଲ୍‌ଠାରେ ଟ୍ରେନିଂ ନେଉଛନ୍ତି। ଜାକର୍ତ୍ତା ଏସିଆନ ଗେମ୍ସ ୨୦୧୮ରେ ସ୍ବର୍ଣ୍ଣ ବିଜେତା ୫୩ କେଜି ଶ୍ରେଣୀ କୁସ୍ତିଯୋଦ୍ଧା ଭିନେଶ ବର୍ତ୍ତମାନ ହଙ୍ଗେରୀର ବୁଦାପେଷ୍ଟଠାରେ ଟ୍ରେନିଂ ନେଉଛନ୍ତି। ବଜରଙ୍ଗ ଓ ଭିନେଶ ଟ୍ରାଏଲ୍ସରୁ ଛାଡ଼ ପାଇଥିବାରୁ ଅନ୍ୟ କେତେକ ସାଥୀ ପ୍ରତିଯୋଗୀ ଏହାକୁ ଉଚିତ ମଣୁ ନାହାନ୍ତି। ସେମାନେ କୋର୍ଟକୁ ଯିବା ଲାଗି ଧମକ ଦେଇଛନ୍ତି।

Share