ଆଜିଠାରୁ ଦୁବାଇକୁ ସିଧାସଳଖ ବିମାନ ଯାତ୍ରା

ଭୁବନେଶ୍ୱର, ୧୫।୫(ବ୍ୟୁରୋ): ସୋମବାରଠାରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏଥିପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ସନ୍ଧ୍ୟା ୬ଟା ୪୫ରେ ଭୁବନେଶ୍ୱରରୁ ପ୍ରଥମ ବିମାନ ଦୁବାଇ ଅଭିମୁଖେ ଉଡ଼ାଣ ଭରିବ। ୧୮୦ ସିଟ୍‌ ବିଶିଷ୍ଟ ଇଣ୍ଡିଗୋର ଏହି ବିମାନରେ ଓଡ଼ିଶାରୁ ୧୭୦ଜଣ ଯାତ୍ରୀ ବିଦେଶ ଗସ୍ତ କରିବେ। ଏମାନଙ୍କ ମଧ୍ୟରୁ ରାଜ୍ୟ ସରକାରଙ୍କ ୭୦ଜଣିଆ ସ୍ବତନ୍ତ୍ର ପ୍ରତିନିଧି ମଣ୍ଡଳୀ, ୧୫ଜଣ ବିଧାୟକଙ୍କ ସମେତ ମିଶନ୍‌ ଶକ୍ତି ମହିଳା, ଖେଳାଳି, ଜନଜାତି ନେତା, କଳାକାର ରହିଛନ୍ତି। ବିମାନ ଯାତ୍ରାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଉଦ୍‌ଘାଟନ କରିବେ। ପର୍ଯ୍ୟଟନ ବିଭାଗ ପକ୍ଷରୁ ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କୁ ଫୁଲରେ ସ୍ବାଗତ କରାଯିବା ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। ସପ୍ତାହରେ ୩ଦିନ ସୋମବାର, ବୁଧବାର ଏବଂ ଶୁକ୍ରବାର ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ିବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି। ଅପରପକ୍ଷେ ଦୁବାଇ କନ୍‌ସୁଲେଟ୍‌ ପକ୍ଷରୁ ପ୍ରଥମ ବିମାନଯାତ୍ରୀଙ୍କ ପାଇଁ ଲଞ୍ଚ ହୋଷ୍ଟ କରିବାର ଯୋଜନା ରହିଛି।
ସୂଚନାଯୋଗ୍ୟ, ଏପ୍ରିଲ ୧ ଓଡ଼ିଶା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଦୁବାଇକୁ ଅନ୍‌ଲାଇନ୍‌ ବିମାନ ଟିକେଟ ବୁକିଂର ଶୁଭାରମ୍ଭ କରିଥିଲେ। ଏଥିସହ ସେ ପ୍ରଥମ ୮ଟି ଟିକେଟ ମିଶନ୍‌ ଶକ୍ତି ମହିଳା, ଖେଳାଳି, ଜନଜାତି ନେତା, କଳାକାରଙ୍କୁ ପ୍ରଦାନ କରିଥିଲେ। ପୂର୍ବରୁ ଭୁବନେଶ୍ୱରରୁ ଦୁବାଇକୁ ଯିବା ପାଇଁ ସିଧାସଳଖ ବିମାନ ନ ଥିବାବେଳେ ଏହା ଅଧିକ ସମୟ ସାପେକ୍ଷ ହେଉଥିଲା। ମାତ୍ର ଏବେ ଖୁବ୍‌ କମ୍‌ ସମୟ ମଧ୍ୟରେ ଦୁବାଇରେ ପହଞ୍ଚତ୍ ହେବ। ରାଜ୍ୟ ସରକାର ଭୁବନେଶ୍ୱରରୁ ବିଦେଶକୁ ଅଧିକ ବିମାନ ଉଡ଼ାଣ ପାଇଁ ଦୀର୍ଘ ବର୍ଷ ହେଲା ଉଦ୍ୟମ କରୁଥିଳେ ହେଁ ଏବେ ବିଦେଶ ଯାତ୍ରାକୁ ଗ୍ରୀନ୍‌ ସିଗ୍‌ନାଲ ମିଳିଛି।

Share