Categories: ଜାତୀୟ

ଗାଡ଼ି ରୋକିବାକୁ କୌଣସି ସଙ୍କେତ ମିଳି ନ ଥିଲା

ନୂଆଦିଲ୍ଲୀ, ୮।୧୨ : ”ଗାଡ଼ି ରୋକିବା ପାଇଁ ଆମକୁ କୌଣସି ସଙ୍କେତ ଦେଇ ନ ଥିଲେ। ହଠାତ୍‌ ଗୁଳି ବର୍ଷା ଆରମ୍ଭ ହୋଇଥିଲା“। ନାଗାଲାଣ୍ଡର ମୋନ୍‌ ଜିଲାରେ ଶନିବାର ଯବାନଙ୍କ ଆକ୍ରମଣରୁ ବର୍ତ୍ତିଯାଇଥିବା କୋଇଲା ଖଣି ଶ୍ରମିକ ଶେଇଓ୍ବାଙ୍ଗ ଏଭଳି କହିଛନ୍ତି। ତାଙ୍କ ହାତ ଓ ଛାତିରେ ଗୁଳି ବାଜିଛି। ଦିବ୍ରୁଗଡ଼ସ୍ଥିତ ଆସାମ ମେଡିକାଲ କଲେଜ ହସ୍ପିଟାଲ (ଏଏମ୍ସିଏଚ୍‌)ରେ ସେ ଜୀବନ ସହ ସଂଘର୍ଷ କରୁଛନ୍ତି।

ଗୁଳିକାଣ୍ଡ ଘଟଣା ସମ୍ପର୍କରେ ଲୋକ ସଭାକୁ ସୂଚନା ଦେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କହିଥିଲେ, ଶ୍ରମିକମାନଙ୍କ ଗାଡ଼ିକୁ ଅଟକିବା ପାଇଁ ସେନା ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ଗାଡ଼ିଟି ଖସି ପଳାଇଯିବାକୁ ଉଦ୍ୟମ କରିବାରୁ ଯବାନମାନେ ଉଗ୍ରପନ୍ଥୀ ସନ୍ଦେହରେ ଗୁଳି ଚଳାଇଥିଲେ। ଉଲ୍ଲେଖଯୋଗ୍ୟ, ଯବାନମାନଙ୍କ ବର୍ବରକାଣ୍ଡ ପରେ ମୋନ ଅଞ୍ଚଳ ଘଟିଥିବା ହିଂସାରେ ଜଣେ ଯବାନଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ କିଛି ଯବାନ ଆହତ ହୋଇଥିଲେ।

ଶେଇଓ୍ବାଙ୍ଗଙ୍କ ସହ ସେହି ଗାଡ଼ିରେ ଥିବା ଶେଇଓ୍ବାଙ୍ଗ କହିଛନ୍ତି, “ହଠାତ୍‌ ଗୁଳି ବର୍ଷା ଆରମ୍ଭ ହୋଇଥିଲା। କେତେ ସମୟ ଧରି ଏହା ଜାରି ରହିଥିଲା, ମୋର ମନେ ନାହିଁ। କିନ୍ତୁ ବୋମା ବିସ୍ଫୋରଣ ଭଳି ଶବ୍ଦ ହେଉଥିଲା। ସେତେବେଳେ ଅନ୍ଧାର ହୋଇ ନ ଥିଲା। ତଥାପି ସେମାନେ ଆମକୁ ଗୁଳି କଲେ। ଆମେ ସମସ୍ତେ ଗାଡ଼ିର ଚଟଣାରେ ଶୋଇଥିଲୁ। ଗୁଳିକାଣ୍ଡ ପରେ ମୋତେ ଏକ ଗାଡ଼ିରେ ହସ୍ପିଟାଲ ନିଆଯାଇଥିଲା”।

ସାଥିରେ କିଛି ନେଉଥିବା ସମ୍ପର୍କରେ ପଚାରିବାରୁ ସେମାନଙ୍କ ପାଖରେ କିଛି ନ ଥିଲା ବୋଲି ସେ କହିଛନ୍ତି। ମୁଁ କୋଇଲା ଖଣିରେ ସପ୍ତାହ ଧରି କାମ କରିଥିଲି। ଆମେ ଶନିବାର ପ୍ରାୟ ଅପରାହ୍ନ ୩ଟା ବେଳେ ବାହାରିଥିଲୁ। ତିରୁ ଭ୍ୟାଲିରୁ ଗାଁକୁ ଫେରିବା ପାଇଁ ଦୁଇଟି ବାଟ। ଆମେ ଲମ୍ବା ରାସ୍ତା ପରିବର୍ତ୍ତେ ଶର୍ଟ କଟ ନେବା ଲାଗି ଅସ୍ଥାୟୀ ରାସ୍ତା ବାଛିଥିଲୁ।

Share