ବନାୟନ ମାଧ୍ୟମରେ ଜୀବିକା ନିର୍ବାହ ପନ୍ଥା ବୃଦ୍ଧି କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୩ା୮(ବ୍ୟୁରୋ):ବନାୟନ ମାଧ୍ୟମରେ ରାଜ୍ୟରେ ଜୀବିକା ନିର୍ବାହ ପନ୍ଥା ବୃଦ୍ଧି ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଭର୍ଚୁଆଲରେ ଅନୁଷ୍ଠିତ ଓଡ଼ିଶା ଜଙ୍ଗଲ ବିକାଶ ସମିତିର ଉଚ୍ଚସ୍ତରୀୟ କ୍ଷମତାପ୍ରାପ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତା କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ସମିତି ମାଧ୍ୟମରେ ବର୍ତ୍ତମାନ ରାଜ୍ୟରେ ତିନୋଟି ବନାୟନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ବିଭିନ୍ନ ବନଖଣ୍ଡରେ ଚାଲିଥିବା ଏସବୁ କାର୍ଯ୍ୟକ୍ରମର ସମୀକ୍ଷା କରି ଏହା ମାଧ୍ୟମରେ ଅଧିକରୁ ଅଧିକ ଆୟ ପନ୍ଥା ସୃଷ୍ଟି କରିବା, ଲଘୁ ଜଙ୍ଗଲଜାତ ଦ୍ରବ୍ୟ ଓ ଜଙ୍ଗଲ ନିକଟ ଗ୍ରାମର କୃଷିଜାତ ଦ୍ରବ୍ୟ ଆଦିର ପ୍ରକ୍ରିୟାକରଣ ସହ ଉପଯୁକ୍ତ ମୂଲ୍ୟରେ ବିକ୍ରି ଆଦି ମାଧ୍ୟମରେ ଲୋକଙ୍କ ପାଇଁ ଅଧିକ ରୋଜଗାର ଉପଲବ୍ଧ କରାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଭିନ୍ନ ବିଭାଗ ନିଜଆଡ଼ୁ ସମିତି ସହ ସମନ୍ବିତ ହୋଇ ଏସବୁ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଥିଲା। ଜଙ୍ଗଲ ଓ ଜଙ୍ଗଲ ନିକଟବର୍ତ୍ତୀ ସ୍ଥାନରେ ବାସ କରୁଥିବା ପରିବାରଗୁଡ଼ିକ ସାଧାରଣତଃ ଗରିବ ଶ୍ରେଣୀର। ତେଣୁ ସେମାନଙ୍କ ଜୀବିକା ଉପାୟ ବୃ୍‌ଦ୍ଧି ନିମନ୍ତେ ସବୁ ବିଭାଗ କ୍ଷେତ୍ରସ୍ତରୀୟ ସମନ୍ବୟ ରଖି କାର୍ଯ୍ୟ କରିବା ଆବଶ୍ୟକ। ଓଡ଼ିଶା ଜଙ୍ଗଲ ବିକାଶ ପ୍ରକଳ୍ପ ୧୦ ଜିଲାର ୧୨ ବନଖଣ୍ଡ ଓ ୨ଟି ବନ୍ୟପ୍ରାଣୀ ବନଖଣ୍ଡରେ କାର୍ଯ୍ୟକାରୀ ହେଉଛି। ଭଲ ଉପତ୍ାଦନ ସମ୍ଭାବନା ଥିବା ବିଭିନ୍ନ ବନଖଣ୍ଡରେ ବହୁମୁଖୀ ଉପତ୍ାଦ କ୍ଲଷ୍ଟର ପ୍ରତିଷ୍ଠା କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ୨୦୨୨-୨୩ ବର୍ଷ ନିମନ୍ତେ ଉପରୋକ୍ତ ତିନୋଟି ଯୋଜନାର ବାର୍ଷିକ କାର୍ଯ୍ୟ ଯୋଜନା ଅନୁମୋଦିତ ହୋଇଥିଲା। ଆମ ଜଙ୍ଗଲ ଯୋଜନା ପାଇଁ ୫,୮୨୪ ଲକ୍ଷ, ଓଡ଼ିଶା ଜଙ୍ଗଲ ବିକାଶ ପ୍ରକଳ୍ପ ପାଇଁ ୧୩,୨୦୧ ଲକ୍ଷ ଟଙ୍କା ଓ ଜୀବିକା ବୃଦ୍ଧି ନିମନ୍ତେ ଓମ୍ବାଡିସିରୁ ବରାଦ ହୋଇଥିବା ୪,୩୪୩ ଲକ୍ଷ ଟଙ୍କାର କାର୍ଯ୍ୟ ଯୋଜନାକୁ ମୁଖ୍ୟ ଶାସନ ସଚିବ ଅନୁମୋଦନ ଦେଇଥିଲେ।
ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବନାୟନ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ ମୀତା ବିଶ୍ୱାଳ ତଥ୍ୟ ଉପସ୍ଥାପନ କରିଥିଲେ। ପିସିସିଏଫ୍‌ ଦେବୀଦତ୍ତ ବିଶ୍ୱାଳ, ଗ୍ରାମ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ସମେତ ବହୁ ଅଧିକାରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Share