ଜମ୍ମୁ,୪ ।୧୦: ଜମ୍ମୁ-କଶ୍ମୀରରେ ସୋମବାର ବିଳମ୍ବିତ ରାତ୍ରିରେ ଏକ ବଡ ଘଟଣା ସାମ୍ନାକୁ ଆସିଛି । ଜମ୍ମୁ-କଶ୍ମୀର ପୋଲିସ ମହାନିର୍ଦ୍ଦେଶକ(ଜେଲ) ହେମନ୍ତ ଲୋହିୟାଙ୍କୁ ତାଙ୍କ ଘରେ କେହି ଗଳା ଚିପି ହତ୍ୟା କରିଥିବା ଜଣାପଡିଛି । ତାଙ୍କ ଚାକର ଉପରେ ପୋଲିସ ସନ୍ଦେହ କରିଛି । ସେ ଏବେ ଫେରାର ରହିଛନ୍ତି । ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଜମ୍ମୁ କ୍ଷେତ୍ର)ମୁକେଶ ସିଂ କହିଛନ୍ତି ଘରର ଚାକର ଘଟଣା ପରଠାରୁ ଫେରାର ରହିଛନ୍ତି ପୋଲିସ ଏବେ ତାଙ୍କୁ ଖୋଜୁଛି ।
ମୁକେଶ ସିଂ କହିଛନ୍ତି, ୧୯୯୨ ବ୍ୟାଚର ଆଇପିଏସ୍ ହେମନ୍ତ ଲୋହିୟା(୫୨) ସହର ବାହାର ଅଞ୍ଚଳରେ ଥିବା ତାଙ୍କର ଉଦୟଭାଲା ଘରେ ମୃତ ଅମସ୍ଥାରେ ମିଳିଛନ୍ତି । ଯେତେବେଳେ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ସେଠାରେ ପହଞ୍ଚିଥିଲା ସେତେବେଳେ ତାଙ୍କ ଗଳା ଦବାଇ ଦିଆଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଘଟଣାସ୍ଥଳର ପ୍ରଥମ ଦୃଶ୍ୟ କହୁଥିଲା ଏହା ଏକ ସନ୍ଦିଗ୍ଧ ହତ୍ୟା । ଏବେ ତାଙ୍କ ଚାକର ଫେରାର ରହିଛନ୍ତି । ପୋଲିସ ତାଙ୍କୁ ଖୋଜୁଛି । ଏହାସହ ଲୋହିୟାଙ୍କ ଘରେ ଫରେନସିକ ଏବଂ ଅପରାଧ ଯାଞ୍ଚ ଦଳ ଘଟଣାର ନିରିକ୍ଷଣ କରିଛନ୍ତି ।