କେରଳରୁ ଆଉ ଏକ ସେଲ୍‌ କମ୍ପାନୀର ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ଫୁଟ୍‌ବଲ ବେଟିଂ/ଗେମିଙ୍ଗ୍‌ ଆପ୍‌(18football.com)ରେ ଦେଶବ୍ୟାପୀ ୧ହଜାର କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଆଉ ଜଣେ ଅଭିଯୁକ୍ତଙ୍କୁ କେରଳରୁ ଗିରଫ କରିଛି। ସେ ହେଲେ କେରଳ ଥ୍ରିସୁର ଅଞ୍ଚଳର ଦିଲୀପ କୁମାର। ଅଭିଯୁକ୍ତ ଦିଲୀପ କେରଳରେ ପଞ୍ଜୀକୃତ ହୋଇଥିବା ‘ପ୍ରିୱେଷ୍ଟ୍‌ ଗ୍ଲୋବାଲ ସଲ୍ୟୁଶନ୍‌ ପ୍ରାଇଭେଟ୍‌ ଲିଃ’ ନାମକ ଏକ ସେଲ୍‌ କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି। ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର ପରେ ୬ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଅଣାଯାଉଛି। ତେବେ ଦିଲୀପଙ୍କ ସେଲ କମ୍ପାନୀ ଦ୍ୱାରା ୧୯.୪୯ କୋଟି ଟଙ୍କାର ବେଆଇନ କାରବାର ହୋଇଛି। ଏପରି କି ସେ ‘ଓମାନା ଫାଉଣ୍ଡେଶନ୍‌ ପବ୍ଲିକ ଚାରିଟେବଲ ଟ୍ରଷ୍ଟ’ର ପ୍ରତିଷ୍ଠାତା ଅଛନ୍ତି। ଏହାଦ୍ୱାରା ମଧ୍ୟ ଠକେଇ ହୋଇଛି। ସେଲ କମ୍ପାନୀ ଓ ଚାରିଟେବଲ ଟ୍ରଷ୍ଟ ଦ୍ୱାରା ୪ରୁ ୫ ହଜାର ବେଆଇନ କାରବାର ହୋଇଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି। ଏହି ମାମଲାରେ ପଶ୍ଚିମବଙ୍ଗସ୍ଥିତ ଅନ୍ୟ ଏକ ସେଲ୍‌ କମ୍ପାନୀର ୨ ନିର୍ଦ୍ଦେଶକ ଓ ରାଜସ୍ଥାନରୁ ଜଣେ ଅଭିଯୁକ୍ତ ଗିରଫ ହୋଇ ଏବେ ଜେଲରେ ଅଛନ୍ତି। ଏଥିସହ ପୂର୍ବରୁ ଏହି ର଼୍ୟାକେଟ୍‌ର ଦୁବାଇ ମାଷ୍ଟରମାଇଣ୍ଡ୍‌ ମହମ୍ମଦ ସୈଫ୍‌ଙ୍କ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର ମଧ୍ୟ ଜାରି ହୋଇଛି। ସେହିପରି ଚାଇନା ହଂକଂରେ ଥିବା ର଼୍ୟାକେଟ୍‌ର ମୁଖ୍ୟ ମାଷ୍ଟରମାଇଣ୍ଡଙ୍କୁ ଚିହ୍ନଟ କରିବାକୁ ଇଓଡବ୍ଲ୍ୟୁ ପ୍ରୟାସ ଜାରି ରଖିଥିବା ସୂଚନା ଦିଆଯାଇଛି।
ଏଜେଣ୍ଟମାନେ ଭାରତ, ଚାଇନା, ଦୁବାଇ ସମେତ ବିଭିନ୍ନ ଦେଶରେ ରହି ଠକେଇ କରନ୍ତି। ସେମାନେ ଆପ୍‌ ଲିଙ୍କ୍‌କୁ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ ମାଧ୍ୟମରେ ଲୋକଙ୍କୁ ପଠାଇବା ପରେ ଏକ ଆକାଉଣ୍ଟ ଖୋଲିବାକୁ କହିଥାନ୍ତି। ଉକ୍ତ ଆପ୍‌ରେ ହେଉଥିବା ଫୁଟ୍‌ବଲ୍‌ ମ୍ୟାଚ୍‌ରେ ଟଙ୍କା ଜମା କରିବାକୁ କୁହାଯାଇଥାଏ। ଆପ୍‌ ଦ୍ୱାରା ଟଙ୍କା ନିବେଶ କରିବା ପରେ ରିଟର୍ନ ସହ ବିଭିନ୍ନ ବୋନସ୍‌ ଆଦି ମିଳିବାର ଲୋଭ ଦେଖାଯାଇଥାଏ। ପୋଲିସଠୁ ବର୍ତ୍ତିବା ପାଇଁ ସେମାନେ ବିଭିନ୍ନ ସେଲ କମ୍ପାନୀ ଖୋଲି ଟଙ୍କା ନେଣଦେଣ କରୁଥିଲେ। ୨୦୨୧ରେ ଗଞ୍ଜାମର ୮୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଠକେଇର ଶିକାର ହୋଇ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହରାଇଥିଲେ। ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ଗତ ଫେବୃୟାରୀ ୧୭ରେ ଏକ ମାମଲା (ନଂ.୬/୨୦୨୩) ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଏଥିରେ ଏପର୍ଯ୍ୟନ୍ତ ୫୨୫ କୋଟି କାରବାରର ତଥ୍ୟ ମିଳିଥିବା ଇଓଡବ୍ଲ୍ୟୁ ପକ୍ଷରୁ ସୂଚନା ଦିଆଯାଇଛି।

Share