ରୋବୋସ୍ମାର୍ଟ କମ୍ପାନୀର ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର,୨୧ା୮(ସୂର୍ଯ୍ୟକାନ୍ତ ବେହେରା):ସାଢ଼େ ୯ ଲକ୍ଷରୁ ଅଧିକ ଟଙ୍କା ଠକିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ରୋବୋସ୍ମାର୍ଟ ଲ୍ୟାବ ପ୍ରା.ଲି.ର ମାଲିକ ତଥା ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ସେ ହେଲେ ରାଜସ୍ଥାନର ଜଗଦୀଶ ପାରିକା। ଏନେଇ ପୋଲିସ ଏକ ମାମଲା (ନଂ ୨୮୪/୨୩) ରୁଜୁ କରି ଜଗଦୀଶଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେହିପରି ଅଭିଯୁକ୍ତ ଜଗଦୀଶ ପୂର୍ବରୁ ପଶ୍ଚିମବଙ୍ଗ ପୋଲିସ ଦ୍ୱାରା ୨ଥର ଗିରଫ ହୋଇଥିବା ତଦନ୍ତ ବେଳେ ଜଣାପଡିଛି। ସୂଚନାନୁସାନେ, ଜଗଦୀଶ ଓ ସହଯୋଗୀ ସ୍ତୃତିଧର ବିଭିନ୍ନ ରାଜ୍ୟରେ ସେମାନଙ୍କ କମ୍ପାନୀର ଫ୍ରାଞ୍ଚାଇଜ୍‌ ଖୋଲିବାକୁ ଲୋକଙ୍କୁ ପ୍ରବର୍ତ୍ତାଇଥିଲେ। ଏଥିପାଇଁ ସେମାନେ ଭୁବନେଶ୍ୱରକୁ ଆସି ଏକ ତାରକା ହୋଟେଲରେ ସଭାର ଆୟୋଜନ କରି ନିବେଶକଙ୍କ ବିଶ୍ୱାସ ହାସଲ କରିଥିଲେ। ଏହିପରିପ୍ରକ୍ଷୀରେ ଅଭିଯୁକ୍ତ ଦ୍ୱୟ ଝାରସୁଗୁଡାରେ ରୋବୋଟିକ୍ସ ଶିକ୍ଷା ପାଇଁ ଫ୍ରାଞ୍ଚାଇଜ ଆରମ୍ଭ କରିବା ପାଇଁ ଲୋକଙ୍କଠାରୁ ପୁଞ୍ଜି ସଂଗ୍ରହ କରି ଠକେଇ କରିଥିଲେ। ଅଭିଯୋଗକାରୀ ୯ ଲକ୍ଷ ୬୬ ହଜାର ୬୬୬ ଟଙ୍କା ରୋବୋସ୍ମାର୍ଟ କମ୍ପାନୀକୁ ଦେୟ ଦେବା ସତ୍ତ୍ୱେ ଉକ୍ତ ଶିକ୍ଷା ପାଇଁ କୌଣସି ବୈଷୟିକ ସହାୟତା ଓ ସାମଗ୍ରୀ ଯୋଗାଇ ଦିଆଯାଇ ନ ଥିଲା। ଠକାମିର ଶିକାର ହେବା ଜାଣିବା ପରେ ସେ ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।

Share