ବଲିଉଡ୍‌ରେ ଶୋକ: ପରପାରିରେ ନିର୍ଦ୍ଦେଶକ ରଜତ

ମୁମ୍ବାଇ,୧୯।୭: ବଲିଉଡ୍‌ ଦୁନିଆକୁ ଲାଗିଛି ଆଉ ଏକ ଧକ୍କା। ନାମୀଦାମୀ ନିର୍ଦ୍ଦେଶକ ରଜତ ମୁଖାର୍ଜୀଙ୍କୁ ହରାଇଛି ସିନେ ଦୁନିଆ। ଶନିବାର ରାତିରେ ଜୟପୁରଠାରେ ତାଙ୍କର ଦେହାନ୍ତ ହୋଇଥିବା କୁହାଯାଉଛି। ତେବେ ଗତ ଏପ୍ରିଲ ମାସରୁ ସେ କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ। ଚିକିତ୍ସା ଚାଲୁଥିବା ସମୟରେ ହିଁ ତାଙ୍କର ପରଲୋକ ହୋଇଛି। ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ ଏହି ଖବର ଶୁଣି ଭାଙ୍ଗି ପଡିବା ସହ ସୋସିଆଲ ମିଡିଆ ଜରିଆରେ ଶୋକ ପ୍ରକାଶ କରିଛନ୍ତି। ରଜତ ମୁମ୍ବାଇରେ ରହୁଥିବା ବେଳେ ଲକ୍‌ଡାଉନ ଯୋଗୁ ସେ ତାଙ୍କ ହୋମ୍‌ଟାଇନ ଜୟପୁର ଚାଲି ଯାଇଥିଲେ। ତାଙ୍କର କିଡ୍‌ନୀ ସମସ୍ୟା ସହ ଫୁସ୍‌ଫୁସ୍‌ରେ ଇନ୍‌ଫେକ୍ସନ ମଧ୍ୟ ଥିଲା। ନିର୍ଦ୍ଦେଶକ ରଜତ ମୁଖାର୍ଜୀ ପ୍ୟାର ତୁନେ କ୍ୟା କିୟା, ରୋଡ, ଲଭ୍‌ ଇନ୍‌ ନେପାଳ ଓ ଉମ୍ମିଦ ଭଳି ଫିଲ୍ମ ଭେଟି ଦେଇଥିଲେ ଦର୍ଶକଙ୍କୁ। ତାଙ୍କ ବିୟୋଗରେ ଅଭିନେତା ମନୋଜ ବାଜପେୟୀ ଟୁଇଟ୍‌ କରି ଲେଖିଛନ୍ତି, ଏହି ଖବରକୁ ମୁଁ ବିଶ୍ୱାସ କରିପାରୁନାହିଁ। ଆମେ ଆଉ କେବେ ମିଶିବାନି କି କାମକୁ ନେଇ ଚର୍ଚ୍ଚା କରିବାନି ବୋଲି ମୋତେ ବିଶ୍ୱାସ ହେଉନି। ଯେଉଁଠି ଅଛ ବନ୍ଧୁ ସୁଖରେ ଥାଅ। ହଂସଲ ମେହେତା ଲେଖିଛନ୍ତି ବନ୍ଧୁ ତୁମେ ସବୁଦିନ ପାଇଁ ମନେ ରହିବ। ରଜତଙ୍କ ଦେହାନ୍ତ ପରେ ୨୦୨୦ ବଲିଉଡ୍‌ ଦୁନିଆ ପାଇଁ କେବଳ ଦୁଃଖ ନେଇ ଆସିଛି ବୋଲି ଆଲୋଚନା ହେଉଛି।

Share