ଏହି ନିର୍ଦ୍ଦେଶକ ଏବେ ଠେଲାରେ ବିକୁଛନ୍ତି ପରିବା, ଜାଣନ୍ତୁ ତାଙ୍କ ଦୁଃଖଭରା କାହାଣୀ

ମୁମ୍ବାଇ:  କେତେକ ଟେଲି ସିରିୟଲ ଏବଂ ଫିଲ୍ମରେ ନିର୍ଦ୍ଦେଶନା ଦେଇ ବେଶ୍‌ ପରିଚିତି ଲାଭ କରିଥିବା ନିର୍ଦ୍ଦେଶକ ରାମଭ୍ରିକ୍‌ ଗୌର ଆଜି ଠେଲା ଗାଡ଼ିରେ ପରିବା ବିକୁଛନ୍ତି। ଯେଉଁ କଳାକାରମାନଙ୍କୁ ସେମାନଙ୍କ ନିର୍ଦ୍ଦେଶରେ ହସାନ୍ତି ଆଉ କନ୍ଦାନ୍ତି ସେ ନିଜେ ଆଜି ଜୀବନ ସହ ଲଢ଼େଇ କରୁଛନ୍ତି। ରାମଭ୍ରିକ୍‌ ଉତ୍ତରପ୍ରଦେଶର ଆଜମଗଡ଼ରେ ଥିବା ତାଙ୍କ ଘରେ ରହୁଛନ୍ତି।

ରିଲ ଲାଇଫ୍‌ରେ ଆଭିଜାତ୍ୟ ଜୀବନ ବିତାଉଥିବା ମଣିଷ ଆଜି ରିୟଲ ଲାଇଫ୍‌ରେ ହାରି ଯାଇଛନ୍ତି। ଏମିତି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଲା ଯେ, ସେ ପରିବାର ଚଳାଇବା ପାଇଁ ଶେଷରେ ପରିବା ବିକିଲେ। ଲକ୍‌ଡାଉନ୍‌ ଯୋଗୁ ସିରିୟଲ କିମ୍ବା ଫିଲ୍ମ ଆଉ ଶୁଟିଂ ହେଲା ନାହିଁ। ଶେଷରେ ମୁମ୍ବାଇ ଛାଡ଼ି ନିଜ ଘରକୁ ଚାଲିଆସିଥିଲେ ରାମଭ୍ରିକ୍‌। ଘରେ ପରିବାରର ଦାୟିତ୍ୱ ଏତେ ବଢ଼ିଗଲା ଯେ, ସେ ବାଧ୍ୟ ହେଲେ ପରିବା ବିକି ପେଟ ପୋଷିବା ପାଇଁ। ତାଙ୍କ ପାଖରେ ଆଉ କିଛି ଉପାୟ ନ ଥିଲା।
ନିର୍ଦ୍ଦେଶକଙ୍କ ସ୍ତ୍ରୀ ଅନୀତା ଗୌର କହିଛନ୍ତି ଯେ, ଯଦି ଅବସ୍ଥା ଖରାପ ତେବେ ସେ ସମୟରେ ଦୁଃଖ କରିବାର ନାହିଁ, ଆସନ୍ତାକାଲି ସ୍ଥିତିରେ ସୁଧାର ଆସିଲେ ପୁଣି ହସଖୁସି ଫେରି ଆସିବ। ଏଥି ସହିତ, ତାଙ୍କ ଝିଅ ନେହା ମଧ୍ୟ କହିଛନ୍ତି, ଯେତେବେଳେ ସ୍ଥିତି ଠିକ ହେବ ସେତେବେଳେ ଆମେ ମୁମ୍ବାଇରେ ସାଙ୍ଗମାନଙ୍କ ସହ ପାଠ ପଢ଼ିପାରିବୁ।

୨୫ରୁ ଅଧିକ ଟିଭି ସିରିୟଲ ଏବଂ ଫିଲ୍ମରେ କାମ କରିଥିବା ରାମଭ୍ରିକ କହିଛନ୍ତି, କରୋନା ଯୋଗୁ ହୋଇଥିବା ଲକ୍‌ଡାଉନ୍‌ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଛି। ସେ ସିରିୟଲ ‘ବାଳିକା ବଧୂ’ ‘ଜ୍ୟୋତି’ ‘ସୁଜାତା’ ଭଳି ସୁପରହିଟ ସିରିୟଲରେ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମ ଜଗତରେ ତାଙ୍କର ୨୨ ବର୍ଷର ଅଭିଜ୍ଞତା ରହିଛି।

Share