ସ୍କୁଲ ନଳକୂଅରୁ ବାହାରୁଛି ଗୋଳିଆ ପାଣି

ନନ୍ଦାହାଣ୍ଡି,୧୭।୮(ପ୍ରତୀପ କୁମାର ଦାଶ)ବିଦ୍ୟାଳୟରେ ପାଠପଢ଼ା ସହ ମଧ୍ୟାହ୍ନ ଭୋଜନରେ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ସରକାରୀ ଯୋଜନା ହିସାବରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ସମସ୍ତ ବିଦ୍ୟାଳୟ ମଧ୍ୟରେ ପିଇବା ପାଣି ପାଇଁ ମଧ୍ୟ ସୁବିଧା କରାଯାଇଛି। କିନ୍ତୁ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକର ନରସିଂହଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ଏକ ବର୍ଷରୁ ଊଦ୍ଧର୍‌ବ ସମୟରୁ ପିଇବା ପାଣି ସମସ୍ୟା ଦେଖା ଦେଇଛି।
ଚଳିତ ବର୍ଷ ୨୦୦ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ମଧ୍ୟ ହେଉଛି । ବିଦ୍ୟାଳୟ ପରିସର ମଧ୍ୟରେ ଗୋଟିଏ ନଳକୂପ ବର୍ଷ ତଳୁ ଖୋଲା ଯାଇଥିବାବେଳେ ଏବେ ସେଠାରୁ ଗୋଳିଆ ଦୁର୍ଗନ୍ଧମୟ ପାଣି ବାହାରୁଛି। ଯାହାକି ପିଇବା ଏବଂ ରୋଷେଇ କରିବା ଯୋଗ୍ୟ ନାହିଁ। ୨୦୦ ପିଲାଙ୍କ ରୋଷେଇ ପାଇଁ ବହୁ ପରିମାଣର ପାଣି ଆବଶ୍ୟକ ହେଉଥିବାରୁ ବିଦ୍ୟାଳୟ ବାହାରୁ ପାଣି ଆଣିବା କଷ୍ଟ ହେଉଥିବା ରୋଷେୟାମାନେ କହିଛନ୍ତି। ପିଇବା ପାଣି ପାଇଁ ଛାତ୍ରୀଛାତ୍ର ସ୍କୁଲ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ବିଦ୍ୟାଳୟ ପକ୍ଷରୁ ଅଭିଯୋଗ ପରେ ନଳକୂପ ପାଣିର ନମୂନା ପରୀକ୍ଷା ପାଇଁ ପଠା ଯାଇଥିଲା। ୭ ଫେବୃଆରୀ ୨୦୨୨ରେ ନମୁନା ପରୀକ୍ଷା କରି ଏକ ରିପୋର୍ଟ ଦିଆଯାଇଥିଲା। ରିପୋର୍ଟ ମୁତାବକ ଏହି ନଳକୂପର ପାଣି ବ୍ୟବହାର ଯୋଗ୍ୟ ନାହିଁ । ୨୦୨୨ ଏପ୍ରିଲ ମାସରେ ଗ୍ରାମବାସୀ ଏବଂ ବିଦ୍ୟାଳୟ କମିଟି ପକ୍ଷରୁ ଉକ୍ତ ରିପୋର୍ଟ ସଂଲଗ୍ନ କରି ଏକ ଲିଖିତ ଅଭିଯୋଗ ବିଡିଓଙ୍କୁ ଦିଆଯାଇଥିଲା। ସମସ୍ୟା ସମାଧାନ ପ୍ରତିଶ୍ରୁତି ମିଳିଥିଲା କିନ୍ତୁ ଫଳ ଶୁନ। ବେଳେବେଳେ ପିଲାମାନେ ଉକ୍ତ ନଳକୂଅରୁ ପାଣି ପିଇଦେଉଥିବାରୁ ସେମାନଙ୍କ ସ୍ବାସ୍ଥ୍ୟ ଖରାପ ହେବାର ଆଶଙ୍କା ରହିଛି। ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଜଣାଇବା ବ୍ୟତିତ ଅନ୍ୟ କୌଣସି ଉପାୟ ନ ଥିବା ପ୍ରଧାନ ଶିକ୍ଷକ ବଳିରାମ ଭତରା କହିଛନ୍ତି। ଏ ବିଷୟରେ ନନ୍ଦାହାଣ୍ଡି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଜେଇଙ୍କୁ ସେହି ସ୍କୁଲକୁ ପଠାଇ ସମସ୍ୟା ସମାଧାନ କରାଇବେ ବୋଲି କହିଛନ୍ତି।

Share