ଦିଲ୍ଲୀ ‘ମିନି କାବୁଲ’ରେ ନିରାଶା

ନୂଆଦିଲ୍ଲୀ,୨୦।୮: ୧୯୧୯ ପରଠାରୁ ପ୍ରତିବର୍ଷ ଅଗଷ୍ଟ ୧୯ରେ ସ୍ବାଧୀନତା ଦିବସ ପାଳନ କରିଥାନ୍ତି ଆଫଗାନିସ୍ତାନବାସୀ। ଏବେ ତାଲିବାନ କବଳକୁ ଦେଶ ଚାଲିଯିବା ସମୟରେ ପୁଣି ସିନା ସ୍ବାଧୀନତା ଦିବସ ଫେରିଛି କିନ୍ତୁ ଆଫଗାନ୍‌ମାନେ ଜାଣନ୍ତି ଯେ ପୂର୍ବର ସେ ସ୍ବାଧୀନତା ସେମାନଙ୍କ ପାଇଁ ସ୍ବପ୍ନ ପାଲଟିବାକୁ ଯାଉଛି। ଭୟ ଓ ଆତଙ୍କର ବାତାବରଣରେ ସ୍ବାଧୀନତା ଦିବସ ପାଳନର ଉତ୍ସାହ ଦେଶବାସୀଙ୍କ ମନରେ ନ ଥିବାବେଳେ ଦିଲ୍ଲୀର ‘ମିନି କାବୁଲ’ କୁହାଯାଉଥିବା ଲଜ୍‌ପତ ନଗର ସମେତ ଭାଗଲ ଏବଂ ହଜ୍‌ରତ ନିଜାମୁଦ୍ଦିନରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଆଫଗାନିସ୍ତାନରେ ଗୃହ ଯୁଦ୍ଧବେଳେ ଭାରତକୁ ପଳାଇଆସିଥିବା ଆଫଗାନମାନେ ବିଶେଷ କରି ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ବାସ କରୁଛନ୍ତି। ଲଜପତ୍‌ ନଗରରେ ‘ଲିଟିଲ୍‌ କାବୁଲ’ ନାମରେ ଏକ ରେଷ୍ଟୁରାଣ୍ଟରେ କାମ କରନ୍ତି ୨୩ ବର୍ଷୀୟା ଶରିଫା ଆଶୁରି। ୨୦୧୫ରେ ଆଫଗାନ୍‌ ସେନାରେ ଥିବା ବାପାଙ୍କୁ ହତ୍ୟା କରାଯିବା ପରେ ଶରିଫା ଭୟରେ ମା’ଙ୍କ ସହ କାବୁଲରୁ ଦିଲ୍ଲୀ ପଳାଇଆସିଥିଲେ। ଆଫଗାନିସ୍ତାନରେ ଏବେକାର ସ୍ଥିତି ତାଙ୍କୁ ବ୍ୟସ୍ତବିବ୍ରତ କରୁଛି। ନିଜ ଦେଶର ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ଭବିଷ୍ୟତକୁ ନେଇ ସେ ଚିନ୍ତାରେ ପଡ଼ିଛନ୍ତି। କାବୁଲଠାରୁ ଭାରତ ସୁରକ୍ଷିତ ବୋଲି ଶରିଫା କହିଛନ୍ତି। ନିଜ ଦେଶବାସୀଙ୍କ ଏପରି ଦୁର୍ଦ୍ଦଶା ଦେଖି ସ୍ବାଧୀନତା ଦିବସ ପାଳନ ଦିଗରେ ଶରିଫାଙ୍କ ସମେତ ଏଠାରେ ରହୁଥିବା ଆଫଗାନ୍‌ଙ୍କଠାରେ ସେହି ଉତ୍ସାହ ଦେଖିବାକୁ ମିଳିନାହିଁ। ଏପରିକି ପୂର୍ବଭଳି ଆଫଗାନ୍‌ ପତାକା ମଧ୍ୟ କୌଣସି ହୋଟେଲ କିମ୍ବା ଷ୍ଟୋରରେ ଲଗାଯାଇଥିବା ଦେଖାଯାଇନାହିଁ।

Share