ଏବେ ଦୁଇଟି ଦୁର୍ଘଟଣା ସମସ୍ତଙ୍କୁ ବ୍ୟଥିତ କରିବା ଭଳି ବିଷୟ ଭାବେ ଉଭା ହୋଇଛି। ୨୫ ମେ’ ୨୦୨୪ରେ ଗୁଜରାଟର ରାଜକୋଟସ୍ଥିତ ଗେମିଂ ଜୋନ୍ରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିବାରୁ ୯ ଯୁବକଙ୍କ ସମେତ ୨୭ ଜଣଙ୍କ ମୃତ୍ୟୁ ଏବଂ ସେହି ୨୫ ମେ’ ପାହାନ୍ତାରେ ନୂଆଦିଲ୍ଲୀସ୍ଥିତ ନ୍ୟୁ ବର୍ନ ବେବି କେୟାର ହସ୍ପିଟାଲରେ ନିଆଁ ଲାଗି ୭ ଜଣ ନବଜାତଙ୍କ ପ୍ରାଣହାନି ଘଟିଛି। ଦୁଇଟି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଇତିମଧ୍ୟରେ ଗୁଜରାଟ ହାଇକୋର୍ଟ ନିଜ ଆଡ଼ୁ ଏହି ବିଷୟକୁ ଗମ୍ଭୀରତାର ସହିତ ନେଇ ତୁରନ୍ତ ରିପୋର୍ଟ ଦେବାକୁ ରାଜ୍ୟ ସରକାର ଓ ମ୍ୟୁନିସିପାଲ କର୍ପୋରେଶନକୁ ନିର୍ଦ୍ଦେଶ ଦେଇଛନ୍ତି। ଅନୁରୂପ ଭାବେ ଦିଲ୍ଲୀ ଘଟଣାରେ ଲ୍ୟୁଟ୍ନାଣ୍ଟ ଜେନେରାଲ ଭି. କେ. ସାକ୍ସେନା ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଉପରୋକ୍ତ ଦୁଇଟି ଦୁର୍ଘଟଣାକୁ ଦେଖିଲେ ସେସବୁ ମନୁଷ୍ୟକୃତ। ଶୁଣିବାକୁ ମିଳୁଛି, କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ରାଜକୋଟ ଗେମିଂ ଜୋନ୍ ବେଆଇନ ଭାବେ ଚାଲୁଥିଲା। ସେହିଭଳି ନୂଆଦିଲ୍ଲୀସ୍ଥିତ ନ୍ୟୁ ବର୍ନ ବେବି କେୟାର ହସ୍ପିଟାଲରେ ନିଆଁ ଲାଗି ଶିଶୁଙ୍କ ମୃତ୍ୟୁ ଘଟିବା ପରେ ଏହାର ମାଲିକ ଡାକ୍ତର ନବୀନ ଫେରାର ହୋଇଯାଇଥିଲେ ଓ ପରବର୍ତ୍ତୀ ସମୟରେ ତାଙ୍କୁ ଅଟକ ରଖାଯାଇଛି। ଏଥିରୁ ବୁଝିବାକୁ ହେବ ଯେ, ସମ୍ପୃକ୍ତ ହସ୍ପିଟାଲରେ ରୋଗୀଙ୍କ ନିରାପତ୍ତାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ଅବଶ୍ୟ ଏଭଳି ଘଟଣା ଅତୀତରେ ଓଡ଼ିଶା ସମେତ ଅନେକ ରାଜ୍ୟରେ ବାରମ୍ବାର ଘଟିଛି। କେବଳ ଲାଭକୁ ଅନାଇ ଲୋକଙ୍କ ସାଧାରଣ ନିରାପତ୍ତାକୁ ଗୁରୁତ୍ୱ ଦିଆଯାଉ ନ ଥିବାରୁ ଏଭଳି ଦୁର୍ଘଟଣା ଘଟୁଛି। ଅନୁମତି ଦେଉଥିବା ଓ ଯାଞ୍ଚ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି। ଅଧିକାରୀମାନେ ଲାଞ୍ଚ ନେଇ ଲାଇସେନ୍ସ ଦେଇ ଦେଉଥିବାରୁ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥଳେ କୋର୍ଟ ଏବଂ ସରକାରଙ୍କ ତଦନ୍ତ କେବଳ ନିର୍ଦ୍ଦେଶ ଭିତରେ ସୀମିତ ରହିଗଲେ ବେଆଇନ ଉପାୟ ଅନୁସରଣ କରୁଥିବା ବ୍ୟକ୍ତିମାନେ ଚେତିବେ ନାହିଁ। ଏଭଳି ମାମଲାକୁ କ୍ରମାଗତ ଅନୁସରଣ କରାଯାଇ ଦୋଷୀଙ୍କୁ ଯଥାଶୀଘ୍ର ଦଣ୍ଡ ଦିଆଗଲେ ହୁଏତ ଅବହେଳାରୁ ସୃଷ୍ଟି ହେଉଥିବା ବିପର୍ଯ୍ୟୟର ମାତ୍ରା କମିପାରନ୍ତା।
କେବଳ ଅଗ୍ନିକାଣ୍ଡରେ ମୃତ୍ୟୁ ଘଟୁଛି, ତାହା ନୁହେଁ। ୨ ଜୁନ୍ ୨୦୨୩ରେ ବାଲେଶ୍ୱର ଜିଲା ବାହାନଗା ରେଳ ଷ୍ଟେଶନରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ମଧ୍ୟ ମନୁଷ୍ୟକୃତ ଥିଲା ଓ କର୍ମଚାରୀ ସମ୍ପୂର୍ଣ୍ଣ କାର୍ଯ୍ୟରେ ଅବହେଳା କରିଥିବା ହେତୁ ଏହା ଘଟିଥିଲା। ଏଥିରେ ୨୯୬ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ଅନେକ ଆହତ ହୋଇଥିଲେ। ସେହିପରି ୩୦ ଅକ୍ଟୋବର ୨୦୨୨ ସନ୍ଧ୍ୟାରେ ଗୁଜରାଟର ମୋର୍ବିସ୍ଥିତ ମାଛୁ ନଦୀରେ ୧୦୦ ବର୍ଷର ପୁରୁଣା ସସ୍ପେନ୍ସନ ବ୍ରିଜ୍ ଭୁଶୁଡ଼ି ପଡ଼ିଥିଲା। ଏଥିଯୋଗୁ ୧୪୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇ ପାଣିରେ ଫସିରହିଥିଲେ। ଉକ୍ତ ଝୁଲା ପୋଲ ବ୍ରିଟିଶ ସରକାର ଅମଳରେ ନିର୍ମାଣ କରାଯାଇଥିଲା। ଏହା ଦୁର୍ବଳ ହୋଇଯାଇଥିବାରୁ ତାହାର ମରାମତି କରାଯାଇଥିଲା। ପୁନଃ ନିର୍ମାଣ ପରେ ସେହିବର୍ଷ ୨୬ ଅକ୍ଟୋବରରେ ଖୋଲାଯାଇଥିଲା। ସେତେବେଳେ କୁହାଯାଇଥିଲା ଯେ, ମୋର୍ବି ମ୍ୟୁନିସିପାଲ କର୍ତ୍ତୃପକ୍ଷଙ୍କ ନିକଟରୁ ଫିଟ୍ନେସ୍ ସାର୍ଟିଫିକେଟ ମିଳି ନ ଥିବା ସତ୍ତ୍ୱେ ସର୍ବସାଧାରଣଙ୍କ ପାଇଁ ଉକ୍ତ ବ୍ରିଜ୍କୁ ଖୋଲି ଦିଆଯାଇଥିଲା। ଅନୁରୂପ ଭାବେ ୩୧ ମାର୍ଚ୍ଚ ୨୦୧୬ରେ କୋଲକାତାର ଗିରିଶ ପାର୍କ ଅଞ୍ଚଳରେ ନିର୍ମାଣାଧୀନ ବିବେକାନନ୍ଦ ରୋଡ୍ ଫ୍ଲାଏଓଭର ଭୁଶୁଡ଼ି ପଡ଼ିବାରୁ ୨୭ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୮୦ ଜଣ ଆହତ ହୋଇଥିଲେ। ଏହିଭଳି ଅନେକ ଉଦାହରଣ ଆମ ମନକୁ ଆସୁଛି। ଏସବୁ ଦୁର୍ଘଟଣା ହେଉଛି ମନୁଷ୍ୟକୃତ ଓ ଲାଞ୍ଚରୁ ଜନ୍ମ। ଆମ ଦେଶର ସବୁଠାରୁ ବଡ଼ ରୋଗ ହେଉଛି ଦାୟିତ୍ୱହୀନତା। କେହି କୌଣସି କାର୍ଯ୍ୟ କରିବାକୁ ଉତ୍ତରଦାୟୀ ରହୁ ନ ଥିବାରୁ ସବୁ ସ୍ତରରେ ମନଇଚ୍ଛା କାର୍ଯ୍ୟ କରିବାର ସୁଯୋଗ ସୃଷ୍ଟି ହେଉଛି। ସେହିଭଳି କାର୍ଯ୍ୟ ନ କରି ଅବହେଳା କରିବାର ସୁଯୋଗ ମଧ୍ୟ ସୃଷ୍ଟି ହେଉଛି।