ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ମାମଲା: ହାଇକୋର୍ଟରେ ଆବେଦନକାରୀଙ୍କ ସତ୍ୟପାଠ ଦାଖଲ

କଟକ,୩୦ା୧ (କାର୍ତ୍ତିକ ସାହୁ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ଆଗତ ଜନସ୍ବାର୍ଥ ମାମଲାରେ ଆବେଦନାରୀଙ୍କ ପକ୍ଷରୁ ହାଇକୋର୍ଟରେ ସୋମବାର ସତ୍ୟପାଠ ଦାଖଲ କରାଯାଇଛି। ରାଜ୍ୟ ସରକାର ହାଇକୋର୍ଟଙ୍କ ନିକଟରେ ଜବାବ ଦାଖଲ ନ କରି ବିଭିନ୍ନ ଆଳ ଦେଖାଇ ପ୍ରସଙ୍ଗକୁ ଏଡ଼ାଇ ଚାଲିଥିବା ଆବେଦନକାରୀ ସତ୍ୟପାଠରେ ଦର୍ଶାଇଛନ୍ତି। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ଆସନ୍ତା ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ସାମାଜିକ କର୍ମୀ ଚିତ୍ତରଞ୍ଜନ ମହାନ୍ତି ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ପାଇଁ ରିପୋର୍ଟ ତଲବ କରିଥିଲେ। ହେଲେ ସରକାର ଜବାବ ଦାଖଲ କରୁ ନ ଥିବା ନେଇ ଆବେଦନକାରୀ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ରାଜ୍ୟର ସମସ୍ତ ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ କିମ୍ବା ବିଭିନ୍ନ ଭିତ୍ତିଭୂମିର ବିକାଶ ପାଇଁ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ବେ ସ୍ବତନ୍ତ୍ର ରୋଡ୍‌ମ୍ୟାପ ପ୍ରସ୍ତୁତ ହୋଇପାରିନାହିଁ। ଦଲାଲଙ୍କୁ ହଟାଇବା ଲାଗି ଆଇନରେ କରାଯାଇଥିବା ବ୍ୟବସ୍ଥା ସଂକ୍ରାନ୍ତରେ ମଧ୍ୟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅଦାଲତଙ୍କୁ ଅବଗତ କରାଯାଇ ନାହିଁ ବୋଲି ସତ୍ୟପାଠରେ ଦର୍ଶାଯାଇଛି।