Categories: ଜାତୀୟ

ସ୍ଥଳଭାଗ ଛୁଇଁଲା ‘ବିପର୍ଯ୍ୟୟ’

ନୂଆଦିଲ୍ଲୀ,୧୬ା୬(ପି.ଟି.): ଆରବସାଗରରେ ୧୦ ଦିନରୁ ଊର୍ଦ୍ଧ୍ୱ ସୃଷ୍ଟି ହୋଇଥିବା ଅତି ଭୀଷଣ ବାତ୍ୟା ‘ବପର୍ଯ୍ୟୟ’ ଗୁରୁବାର ସନ୍ଧ୍ୟାରେ ଗୁଜରାଟର କଚ୍ଛ ଜିଲା ଅନ୍ତର୍ଗତ ଜଖାଉ ବନ୍ଦର ନିକଟରେ ଭୂଭାଗ ଛୁଇଁଛି। ଏହାର ପ୍ରଭାବରେ କଚ୍ଛ ଏବଂ ସୌରାଷ୍ଟ୍ର ଜିଲାରେ ପ୍ରବଳ ବର୍ଷା ସାଙ୍ଗକୁ ଜୋର୍‌ରେ ପବନ ବହୁଛି। ମଧ୍ୟରାତ୍ର ସୁଦ୍ଧା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହୋଇଯିବ ବୋଲି ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତିି। ବିପର୍ଯ୍ୟୟର ଘଣ୍ଟାପ୍ରତି ଅଗ୍ରଗତି ବେଗ ୧୩ରୁ ୧୪ କିଲୋମିଟର ରହିଥିବାରୁ ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ୍‌ ହେବାକୁ ପ୍ରାୟ ୫ ଘଣ୍ଟା ଲାଗିଯିବ। ବିପର୍ଯ୍ୟୟ ଲ୍ୟାଣ୍ଡଫଲ୍‌ କରିବା ସହ କଚ୍ଛ ଓ ସୌରାଷ୍ଟ୍ର ଉପକୂଳରେ ପ୍ରବଳ ବର୍ଷା ସାଙ୍ଗକୁ ଜୋର୍‌ରେ ପବନ ବହୁଛି। ବାତ୍ୟାରେ କେହି ପ୍ରାଣ ହରାଇଥିବା ଖବର ମିଳି ନ ଥିବାବେଳେ ଦେବଭୂମି ଦ୍ୱାରକା ଜିଲାରେ ଗଛ ପଡ଼ି ୩ ଜଣ ଆହତ ହୋଇଛନ୍ତି। ଜଖାଉ ଏବଂ ମାଣ୍ଡଭି ସହର ନିକଟରେ ବହୁ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଛି। କେତେକ ଘରର ଟିଣ ଛପର ଉଡ଼ିଯାଇଥିବା ଦେଖାଯାଇଛି। ରାସ୍ତାରୁ ଗଛ ଓ ଉପୁଡ଼ି ପଡ଼ିଥିବା ବିଦ୍ୟୁତ୍‌ ଖୁଣ୍ଟ ହଟାଇବା କାର୍ଯ୍ୟରେ ଗୁଜରାଟ ପୋଲିସ, ଏନ୍‌ଡିଆର୍‌ଏଫ୍‌ ଏବଂ ସେନା ଯବାନଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି। ଆଇଏମ୍‌ଡିର ସତର୍କ ସୂଚନା ପରେ ସମୁଦ୍ରକୂଳିଆ ଖାଲୁଆ ଅଞ୍ଚଳରୁ ଲକ୍ଷେରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟରେ ୧୫ ଏନଡିଆର୍‌ଏଫ୍‌ ଟିମ୍‌, ରାଜ୍ୟ ବିପର୍ଯ୍ୟୟ ପ୍ରଶମନର ୧୨ ଟିମ୍‌, ନୌସେନା, ସୀମା ସୁରକ୍ଷା ବଳ ଏବଂ ଭାରତୀୟ ତଟସୁରକ୍ଷା ବଳ ସମେତ ସୀମା ସୁରକ୍ଷା ବଳର ଯବାନମାନେ ନିୟୋଜିତ ହୋଇଛନ୍ତି। କଚ୍ଛ ଜିଲା, ଦେବଭୂମି ଦ୍ୱାରକା, ଜାମନଗର, ପୋର୍‌ବନ୍ଦର, ରାଜକୋଟ୍‌, ମୋର୍ବି ଅଞ୍ଚଳ ଏବଂ ଜୁନାଗଡ଼ ଜିଲାରେ ୨୦.୫ ସେଣ୍ଟିମିଟରରୁ ୨୫ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ତେଣୁ ଖାଲୁଆ ଅଞ୍ଚଳରେ ବନ୍ୟା ହେବା ସମ୍ଭାବନା ରହିଥିବା ମହାପାତ୍ର ସତର୍କ କରାଇଛନ୍ତି।
ବାତ୍ୟା ‘ବିପର୍ଯ୍ୟୟ’ ପାକିସ୍ତାନ ଛୁଇଁବା ପୂର୍ବରୁ ସିନ୍ଦ୍‌ ପ୍ରଦେଶର ୬୭,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ବିଭିନ୍ନ ସହରରେ ବନ୍ୟା ସ୍ଥିିତି ସୃଷ୍ଟି ହୋଇଛି।

Share