ଭୁବନେଶ୍ବର,୨୦ା୯(ବ୍ୟୁରୋ):ରାଜ୍ୟକୁ ସବୁ ସମୟରେ ପ୍ରାକୃତିକ ବିପତ୍ତିର ଭୟ ରହିଛି। ଅନେକ ସମୟରେ ବାତ୍ୟା, ବନ୍ୟା, ବଜ୍ରପାତ, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଉଛି। ଲୋକମାନଙ୍କୁ ଏପରି ବିପର୍ଯ୍ୟୟ ସମୟରେ ବଞ୍ଚାଇବା ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଛି। ସୁନାମି ଆଉ ଏକ ବିପତ୍ତି ଭାବେ ଉଭା ହେଲାଣି। ସୁନାମି ପ୍ରଭାବରେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକର ସମୁଦ୍ରକୂଳିଆ ଲୋକମାନଙ୍କ ପାଇଁ ଏକ ବିଷମ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି। ବିଶେଷକରି ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, କଟକ, ପୁରୀ, ଜଗତ୍ସିଂହପୁର ଏବଂ କେନ୍ଦ୍ରାପଡ଼ା ଆଦି ଜିଲା ଅତିଶୟ ବିପର୍ଯ୍ୟୟପ୍ରବଣ ଭାବେ ଚିହ୍ନଟ କରାଯାଇଛି। ବିପର୍ଯ୍ୟୟରୁ କିପରି ଉପକୂଳବର୍ତ୍ତୀ ଲୋକମାନଙ୍କୁ ରକ୍ଷା କରାଯାଇପାରିବ ଏବଂ ସେମାନଙ୍କ ଜୀବନ ଜୀବିକାକୁ ସୁରକ୍ଷିତ ରଖାଯାଇପାରିବ ସେନେଇ ରାଜ୍ୟ ସରକାର ଇଣ୍ଟିଗ୍ରେଟେଡ୍ କୋଷ୍ଟାଲ ଜୋନ୍ ମ୍ୟାନେଜ୍ମେଣ୍ଟ ସିଷ୍ଟମ (ଆଇସିଜେଡ୍ଏମ୍ଏସ୍) କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏହି ଯୋଜନା ଆସନ୍ତା ୫ ବର୍ଷ ଲାଗି କାର୍ଯ୍ୟକାରୀ ହେବ। ଏଥିପାଇଁ ୨୬୧.୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାକୁ ସୋମବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ବିତ ଉପକୂଳ ପରିଚାଳନା ସମିତି ଷ୍ଟିୟରିଂ କମିଟି ବୈଠକରେ ଅନୁମୋଦନ କରାଯାଇଛି।
ବୈଠକରେ ଯୋଗଦେଇ ସୋସାଇଟିର ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ କହିଛନ୍ତି, ଏହି ଯୋଜନା ଚଳିତ ବର୍ଷରୁ ଆରମ୍ଭ ହୋଇ ୨୦୨୬-୨୭ରେ ଶେଷ ହେବ। ଏଥିରେ ମୁଖ୍ୟତଃ ବାଲେଶ୍ୱର ଜିଲାର ତଳସାରୀ, କେନ୍ଦ୍ରାପଡ଼ାର ଭିତରକନିକା, ଗଞ୍ଜାମର ବାହୁଡ଼ା ଓ ଚିଲିକା ଏବଂ ପୁରୀ ଜିଲାର ଦେବୀ ମୁହାଣ ଓ ଚିଲିକା ଆଦି ଅଞ୍ଚଳ ସାମିଲ କରାଯିବ। ୩୩୯ ଗ୍ରାମପଞ୍ଚାୟତ ଏବଂ ୫ ବନଖଣ୍ଡ ଅନ୍ତର୍ଗତ ପ୍ରାୟ ୩,୭୫,୩୨୧ ହେକ୍ଟର ଉପକୂଳ ଅଞ୍ଚଳକୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସକାଶେ ପ୍ରସ୍ତୁତ କରାଯିବ। ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ସହନଶୀଳ କୃଷି ଏବଂ ନୂଆ ଜୀବିକା ପନ୍ଥା ସୃଷ୍ଟିକରି ଲୋକଙ୍କୁ ବାତ୍ୟା ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ପ୍ରସ୍ତୁତ କରାଯିବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ନୂତନ ଯୋଜନା ଆରମ୍ଭ କରାଯାଇଛି। ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କାର୍ଯ୍ୟ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ବୈଠକରେ ଉପକୂଳ ଅଞ୍ଚଳରେ ଜୈବବିବିଧତା ବଜାୟ ରଖିବା ସହ ବିପର୍ଯ୍ୟୟ ସହନଶୀଳ ଜୀବିକା ନିର୍ବାହ ପନ୍ଥାଗୁଡିକ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଥିପାଇଁ ଲକ୍ଷ୍ୟଭିତ୍ତିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ଗ୍ରାମ୍ୟ ଗୋଷ୍ଠୀ ସହ ସିଧାସଳଖ ଆଲୋଚନା କରି ଲୋକଙ୍କ ଆବଶ୍ୟକତା ଓ ସମ୍ପୃକ୍ତ ଅଞ୍ଚଳର ନିରନ୍ତର ଜୀବିକା ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲଗାତର ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଗ୍ରାମଗୁଡିକୁ ଅଗ୍ରାଧିକାର ଭିତ୍ତିରେ ଏଥିରେ ସାମିଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଉପକୂଳ ଅଞ୍ଚଳଗୁଡ଼ିକରେ ମଙ୍ଗଳାଯୋଡ଼ି ଓ ଭିତରକନିକା ଭଳି ଇକୋ ପର୍ଯ୍ୟଟନ ସ୍ଥଳକୁ ଚିହ୍ନଟ କରି ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ସେଗୁଡ଼ିକର ବିକାଶ କରିବା ପାଇଁ ଜଙ୍ଗଲ ଓ ପରିବେଶ ଏବଂ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଉପକୂଳ ଅଞ୍ଚଳରେ ହେନ୍ତାଳ ବଣର ଘନତା ଏବଂ ସମୁଦ୍ର ଘାସ ଆଦି ବୃଦ୍ଧି କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏହା ବାତ୍ୟା ଓ ସୁନାମି ପ୍ରଭାବକୁ ପ୍ରତିହତ କରିବାରେ ସହାୟକ ହୋଇପାରିବ।