Categories: ଜାତୀୟ

ବିପର୍ଯ୍ୟୟ ଯୋଗୁ ପ୍ରତିବର୍ଷ ୨୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ଭିତ୍ତିଭୂମି ହେଉଛି ନଷ୍ଟ: ସିଡିଆରଆଇ ରିପୋର୍ଟ…

ନୂଆଦିଲ୍ଲୀ,୫।୧୦ : ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱରେ ପ୍ରତିବର୍ଷ ୩୦ ହଜାର କୋଟି ଡଲାର(ପ୍ରାୟ ୨୫ ଲକ୍ଷ କୋଟି ଟଙ୍କା)ର ଭିତ୍ତିଭୂମି ନଷ୍ଟ ହେଉଛି। ସେପ୍ଟେମ୍ବର ୨୦୧୯ରେ ମିଳିତ ଜାତିସଂଘର ଜଳବାୟୁ କ୍ରିୟାନୁଷ୍ଠାନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗଠିତ ‘ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି’ (ସିଡିଆରଆଇ) ଏହାର ଦ୍ୱି ବର୍ଷୀୟ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

ଯଦି ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଅନ୍ୟାନ୍ୟ କ୍ଷତିକୁ ସାମିଲ କରାଯାଏ ତେବେ ଏହା ୭୪.୨ ହଜାର କୋଟି ଡଲାରରୁ ୮୪.୫ ହଜାର କୋଟି ଡଲାରରେ ପହଞ୍ଚିବ। ଏହି ଅର୍ଥ ୨୦୨୧-୨୨ ମସିହାରେ ସମଗ୍ର ବିଶ୍ୱର ଜିଡିପି ଅଭିବୃଦ୍ଧିର ଏକ ସପ୍ତମାଂଶ ଅଟେ।

ରିପୋର୍ଟ ଅନୁଯାୟୀ, ଏହି କ୍ଷତିର ପ୍ରାୟ ୫୦ ପ୍ରତିଶତ ସ୍ବଳ୍ପ ଏବଂ ମଧ୍ୟମ ଆୟ ଦେଶ ବହନ କରୁଛନ୍ତି। ଯେହେତୁ ଏଠାରେ ଭିତ୍ତିଭୂମି ଦୁର୍ବଳ ଅଛି। ବିପର୍ଯ୍ୟୟ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ସେମାନେ ଅଧିକ ଅସୁରକ୍ଷିତ ହୋଇପଡୁଛନ୍ତି।

ସିଡିଆରଆଇ ରିପୋର୍ଟରେ କୁହାଯାଇଛି ୩୦ ପ୍ରତିଶତ କ୍ଷତି ଭୌଗୋଳିକ ଅବସ୍ଥା ଏବଂ ୭୦ ପ୍ରତିଶତ କ୍ଷତି ଜଳବାୟୁ କାରଣରୁ ହୋଇଛି। ଏହା ହେଉଛି ଏକ ସୂଚକ ଯେ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱର ଆର୍ଥିକ କ୍ଷତି ଆହୁରି ବୃଦ୍ଧି ପାଇପାରେ ।

ନୂତନ ଭିତ୍ତିଭୂମି ନିର୍ମାଣ ପାଇଁ ବିଶ୍ୱ ବିନିଯୋଗର ୮୦ ପ୍ରତିଶତ ଉଚ୍ଚ ଆୟକାରୀ ଦେଶକୁ ଯାଉଛି ବୋଲି ସିଡିଆରଆଇ ରିପୋର୍ଟରେ ଦର୍ଶାଯାଇଛି। ଉତ୍ତର ଆମେରିକା ଏବଂ ୟୁରୋପରେ ମୁଣ୍ଡପିଛା ପୁଞ୍ଜି ବିନିଯୋଗ ଯଥାକ୍ରମେ ସାହାରା ଆଫ୍ରିକୀୟ ଦେଶ ତୁଳନାରେ ୫୭ ଏବଂ ୪୧ ଗୁଣା ଅଧିକ।

କେବଳ ଏତିକି ନୁହେଁ, ୨୦୨୧ ମସିହାରେ ଉଚ୍ଚ ଆୟକାରୀ ଦେଶମାନଙ୍କରେ ଏହି ବିନିଯୋଗ ୮.୩ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ସ୍ବଳ୍ପ ଏବଂ ମଧ୍ୟମ ଆୟ ଦେଶରେ ଏହା ୮.୮ ପ୍ରତିଶତ ହ୍ରାସ ପାଇଛି। ୨୦୨୨ ରେ ମୋଟ ବିନିଯୋଗର ମାତ୍ର ୨ ପ୍ରତିଶତ ସ୍ବଳ୍ପ ଆୟକାରୀ ଦେଶକୁ ଯାଇଥିଲା ।

ଏହି ରିପୋର୍ଟରେ ଧନୀ ଏବଂ ଗରିବ ଦେଶର ଭିତ୍ତିଭୂମି ଖର୍ଚ୍ଚ ଉପରେ ମଧ୍ୟ ଏକ ଆକର୍ଷଣୀୟ ଦୃଷ୍ଟି ଦିଆଯାଇଛି। ଏହି ଅନୁଯାୟୀ, ଉଚ୍ଚ ଆୟକାରୀ ଗୋଷ୍ଠୀ ଦେଶରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ହାରାହାରି ୨ ଲକ୍ଷ ଡଲାର ଖର୍ଚ୍ଚ କରାଯାଇଛି। ମଧ୍ୟମ ଆୟ ଗୋଷ୍ଠୀ ଦେଶ ପାଇଁ ଏହା ୩୭ ହଜାର ଡଲାର ଏବଂ ସ୍ବଳ୍ପ ଏବଂ ମଧ୍ୟମ ଆୟ ଗୋଷ୍ଠୀ ଦେଶ ପାଇଁ ଏହା ମାତ୍ର ୮ ହଜାର ଡଲାର ରହିଛି।

 

Share