Categories: ବାଣିଜ୍ୟ

ଶୃଙ୍ଖଳା, ପରିଶ୍ରମର ବିକଳ୍ପ ନାହିଁ: କିଶୋର

ଭୁବନେଶ୍ବର, ୧୮ା ୧: କଳିଙ୍ଗ ଷ୍ଟାଡିୟମର ଟେନିସ ସେଣ୍ଟର ପରିସରରେ ବୁଧବାର ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)ର ୭ମ ବାର୍ଷିକ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜାଭେଲିନ୍‌ ଥ୍ରୋ ତାରକା କିଶୋର ଜେନାଙ୍କୁ ୨୦୨୩ର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର ପ୍ରଦାନ କରାଯାଇଛି। ଅର୍ଜୁନ ପୁରସ୍କାର ବିଜେତା ଭାରୋତ୍ତୋଳକ ତଥା ଓଡ଼ିଶା ଭାରୋତ୍ତୋଳନର ପିତାମହ ବିଜୟ ଶତପଥୀଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯାଇଛି। ”ଶୃଙ୍ଖଳା ସହ କଠିନ ପରିଶ୍ରମର କିଛି ବିକଳ୍ପ ନାହିଁ। ଏହା ହିଁ ସଫଳତାର ମାପକାଠି। ଏଥିସହ ପ୍ରଶିକ୍ଷକଙ୍କ ନିର୍ଦ୍ଦେଶାବଳୀକୁ ମାନି ଖେଳିଲେ ଦିନେ ସଫଳତା ନିଶ୍ଚିତ ଆସିବ“ ବୋଲି ଏସିଆଡ୍‌ କ୍ରୀଡ଼ା ପଦକ ବିଜେତା କିଶୋର ପ୍ରକାଶ କରିଛନ୍ତି। ଓସ୍‌ଜା ସଭାପତି ସନ୍ଦୀପ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଅଲିମ୍ପିଆନ ଆଥ୍‌ଲେଟ ଅନୁରାଧା ବିଶ୍ବାଳ ମୁଖ୍ୟ ଅତିଥି ଓ ଅର୍ଜୁନ ପୁରସ୍କାରପ୍ରାପ୍ତ ଭାରୋତ୍ତୋଳକ କାଟୁଲୁ ରବି କୁମାର ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ବିଜୟ ଶତପଥୀ ଅସୁସ୍ଥ ଥବାରୁ ରବି କୁମାର ତାଙ୍କ ଲାଗି ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ବାବଦରେ ଟ୍ରଫି, ଉତ୍ତରୀୟ, ମାନପତ୍ର ଓ ୨୫,୦୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା। ଏହି ଅବସରରେ କିଶୋରଙ୍କ ପ୍ରଶିକ୍ଷକ ସମରଜିତ୍‌ ମଲ୍ଲୀ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ। ଓସ୍‌ଜା କାର୍ଯ୍ୟକାରୀ ସଭାପତି କେ. ରବି ସ୍ବାଗତ ଭାଷଣ ପ୍ରଦାନ କରିଥିଲାବେଳେ ଯୁଗ୍ମ ସମ୍ପାଦକ ସୁରେଶ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। କୁମାର ବିମଲ ସଂଯୋଜନା କରିଥିଲେ। ଓସ୍‌ଜାର ଏଭଳି କାର୍ଯ୍ୟକ୍ରମକୁ ପୁରସ୍କାର ବିଜେତା କିଶୋର ଜେନା ଓ ରବି କୁମାର ଭୂୟସୀ ପ୍ରଶଂସା କରିଥିଲେ। ଏହି ଉତ୍ସବରେ ଅନେକ ପ୍ରଶିକ୍ଷକ, କ୍ରୀଡ଼ାବିତ୍‌ ଏବଂ ଓସ୍‌ଜାର ସଦସ୍ୟମାନେ ଉପସ୍ଥିତ ଥଲେ। ଏହି ଅବସରରେ କିଶୋରଙ୍କୁ ପ୍ୟାରିସ୍‌ ଅଲିମ୍ପିକ୍ସ ଲାଗି ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ପ୍ରକାଶଯୋଗ୍ୟ, ପୂର୍ବରୁ ଏହି ପୁରସ୍କାର ପୂର୍ଣ୍ଣିମା ହେମ୍ବ୍ରମ୍‌ ଓ ଦେବପ୍ରସାଦ ସିଂ, ସ୍ବସ୍ତି ସିଂ ଓ ପିଟର ତିର୍କୀ, ଅମିତ୍‌ ରୋହିଦାସ ଓ ବ୍ରଜଭୂଷଣ ମହାନ୍ତି, ପ୍ରମୋଦ ଭଗତ ଓ ପଞ୍ଚାନନ ଗନ୍ତାୟତ, ସ୍ବୟମ୍ସ ମିଶ୍ର ଓ ଅରୁଣ ଦାସ, ବୀରେନ୍ଦ୍ର ଲାକ୍ରା ଓ ଅରୂପାନନ୍ଦ ରାଉତରାୟଙ୍କୁ ପ୍ରଦାନ କରାଯାଇଛି।

Share