Advertisement

ପୃଥକ ୨ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଅଭିଯୁକ୍ତ ଗିରଫ, ଗହଣା ଜବତ

କୋରାପୁଟ,୧୯।୩(ସ୍ବ.ପ୍ର.): କୋରାପୁଟ ଟାଉନ ଥାନା ପୋଲିସ ପୃଥକ ଦୁଇଟି ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି। ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଗିରଫ ପରେ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଦୁଇ ପୃଥକ ଲୁଟ୍‌ ଘଟଣାର ଅଭିଯୁକ୍ତ ହେଲେ କୋରାପୁଟ ଇନ୍ଦିରା ଆବାସ କୋଲନୀର ସୁନୀଲ ଖରା(୨୪) । ସ୍ଥାନୀୟ ଟାଉନ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଗୁଣନୀଧି ମଲ୍ଲିକ ଏହି ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ମାର୍ଚ୍ଚ ୧୫ ତାରିଖରେ କୋରାପୁଟ ଭାଣ୍ଡିସାହୀ ଅଞ୍ଚଳର ବୃନ୍ଦାବନ ବେହେରାଙ୍କଠାରୁ ଜଣେ ଦୁର୍ବୃତ୍ତ ଏକ ଚେନ ଲୁଟି ନେଇଥିଲେ। ସେହିପରି ଅନ୍ୟ ଏକ ଘଟଣାରେ ଗତ ମାର୍ଚ୍ଚ ୪ ତାରିଖରେ ହାଉସିଂବୋର୍ଡ କଲୋନୀଠାରେ ରାଧାକୃଷ୍ଣ ଶତପଥି ଦୋକାନରେ ବସିଥିବାବେଳେ ଏକ ଦୁର୍ବୃତ୍ତ ତାଙ୍କଠାରୁ ସୁନା ଚେନ୍‌ ଲୁଟି ନେଇଥିଲେ । ଏ ନେଇ ଥାନାରେ ଏତଲା ପରେ ପୋଲିସ କେସ୍‌ ନଂ. ୭୬ ଏବଂ ୭୭ରେ ୨ଟି ମାମଲା ରୁଜୁ ହୋଇଥିଲା। କୋରାପୁଟ ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ ନେତୃତ୍ତ୍ୱରେ ପୋଲିସ ଏସ୍‌ଆଇ ସୁଦର୍ଶନ ଅଧିକାରା, ଚିତ୍ତରଞ୍ଜନ ପ୍ରଧାନୀଙ୍କ ସମେତ ଏକ ଟିମ୍‌ ଏହି ଦୁଇଟି ଲୁଟ ଘଟଣାର ତଦନ୍ତ ଚଳାଇଥିଲେ । ଏହାରି ମଧ୍ୟରେ ଚେନ ଲୁଟିନେଇଥିବା ଅଭିଯୁକ୍ତ ସୁନୀଲ ଚେନ ଦୁଇଟିକୁ ଜଣେ ବ୍ୟକ୍ତିକୁ ମଡ୍‌ଗେଜ ଦେବାକୁ ଚେଷ୍ଠା ଚଳାଇଥିଲେ। ଖବର ପାଇ ପୋଲିସ ଏହି ଘଟଣାରେ ଜଡିତ ଅଭିଯୁକ୍ତ ସୁନୀଲକୁ ସହରର ଇନ୍ଦିରା ଆବାସ କୋଲନୀ ଅଞ୍ଚଳରେ ଥିବା ତାଙ୍କ ଘରୁ ଗୁରୁବାର ରାତିରେ କାବୁ କରିଥିଲା। ପୂର୍ବରୁ ସେ ଅନେକ ଲୁଟ୍‌ ଘଟଣାରେ ଜଡିତ ଥିବା ପୋଲିସ ଜାଣିବାକୁ ପାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share