ଓ୍ବାଶିଂଟନ , ୧୨ା୪ : ଆମେରିକାର ସାମରିକ ଦସ୍ତାବିଜ୍ ଲିକ୍ ଯୋଗୁ କେବଳ ଏହି ଦେଶର ଗୁରୁତ୍ୱର୍ପୂ୍ଣ୍ଣ ତଥ୍ୟ ଲିକ୍ ହୋଇଛି ତାହା ନୁହେଁ, ଅନ୍ୟ ଦେଶଗୁଡ଼ିକ ସମ୍ପର୍କରେ ପେଣ୍ଟାଗନ୍ ସଂଗ୍ରହ କରିଥିବା ଗୋଇନ୍ଦା ତଥ୍ୟ ମଧ୍ୟ ସୋସିଆଲ ମିଡିଆକୁ ଚାଲିଯାଇଛି। ମାସେ ପୂର୍ବରୁ ଡିସ୍କର୍ଡ ନାମରେ ଏକ ଚାର୍ଟ ସର୍ଭିସରେ ଅନେକ ଦସ୍ତାବିଜ୍ ଲିକ୍ ହୋଇଥିଲା। ସେଥିରେ ବିଶେଷ କରି ୟୁକ୍ରେନ୍ ଯୁଦ୍ଧକୁ ଫୋକସ୍ କରାଯାଇଛି। ଉଭୟ ୟୁକ୍ରେନ୍ ଓ ରୁଷିଆ ସାମରିକ ସାମର୍ଥ୍ୟର ଆକଳନ ଏଥିରେ ରହିଛି। ପେଣ୍ଟାଗନ୍ରୁ ଗୋଇନ୍ଦା ତଥ୍ୟ ଲିକ୍ ହୋଇଥିତ୍ବା ଦେଶଗୁଡ଼ିକ ମଧ୍ୟରେ ରହିଛନ୍ତି ରୁଷିଆ, ୟୁକ୍ରେନ୍, ଇରାନ, ଇସ୍ରାଏଲ୍, ଚାଇନା, ଦକ୍ଷିଣ କୋରିଆ, ତୁର୍କୀ, କାନାଡ଼ା, ହାଇତି ଓ ହଙ୍ଗେରି।
ଉକ୍ତ ଦସ୍ତାବିଜ୍ରେ ୟୁୂକ୍ରେନ୍ ବାୟୁସେନାର ଦୁର୍ବଳତା ଓ ଗୁଳିଗୋଳା ଯୋଗାଣର ସମ୍ଭାବ୍ୟ ସମସ୍ୟା ସମ୍ପର୍କିତ ତଥ୍ୟ ଥିଲା। ରୁଷିଆ ସେନାବାହିନୀ ସମ୍ପର୍କରେ ଆମେରିକା ଗୋଇନ୍ଦା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲା। ରୁଷିଆ ୟୁକ୍ରେନ୍କୁ ଆକ୍ରମଣ କରିବ ବୋଲି ଆମେରିକା ବହୁ ପୂର୍ବରୁ ଜାଣି କିଭ୍କୁ ସତର୍କ କରାଇଥିଲା। ରୁଷିଆ ସାମରିକ ଗୋଇନ୍ଦା ସଂସ୍ଥାର ଭିତିରି ଯୋଜନା ଏବଂ ଘରୋଇ ମିଲିଟାରୀ ଠିକା ସଂସ୍ଥା ଓ୍ବାଗ୍ନର ଗ୍ରୁପ୍ ସମ୍ପର୍କରେ ମଧ୍ୟ ଉକ୍ତ ଡକ୍ୟୁମେଣ୍ଟରେ ତଥ୍ୟ ଥିଲା। ସେହିପରି ଚାଇନା ରୁଷିଆକୁ ସାମରିକ ସହାୟତା ପଠାଇବାକୁ ଚାହୁଁଥିବା ଓ ଏହାର ହାଇପରସୋନିକ୍ ଅସ୍ତ୍ର ପରୀକ୍ଷା ସମ୍ପର୍କରେ ଗୋପନ ତଥ୍ୟ ପେଣ୍ଟାଗନ୍ର ଲିକ୍ ଦସ୍ତାବିଜ୍ରେ ରହିଥିଲା ବୋଲି କୁହାଯାଉଛି। ଫେବୃୟାରୀ ୧୭ର ଏକ ଦସ୍ତାବିଜ୍ ଅନୁଯାୟୀ ରୁଷିଆକୁ ରକେଟ ଓ ଗନ୍ପାଉଡର ଯୋଗାଣ ନେଇ ଇଜିପ୍ଟ ରାଷ୍ଟ୍ରପତି ଆବଡେଲ୍ ଫତାହ ଏଲ୍-ସିସି ଏବଂ ବରିଷ୍ଠ ସାମରିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଇରାନ ଦୀର୍ଘବର୍ଷ ଧରି ଆମେରିକା ଗୁପ୍ତଚରଗିରିର ଟାର୍ଗେଟ ହୋଇଆସିଛି। ଇରାନର ଆଣବିକ କାର୍ଯ୍ୟକ୍ରମ, ସୁରକ୍ଷା ଉପକରଣ ସମ୍ପର୍କରେ ପେଣ୍ଟାଗନ ପାଖରେ ଗୋପନ ତଥ୍ୟ ରହିଥିଲା।