୪୦ ଆଲୋକ ବର୍ଷ ଦୂରରେ ଦ୍ୱିତୀୟ ସୌର ଜଗତର ସନ୍ଧାନ…

ଓ୍ବାଶିଂଟନ,୨୮।୧୧: ଆମ ସୌର ଜଗତ ଆକାଶଗଙ୍ଗାରେ ରହିଛି। ଏହାଠାରୁ ୪୦ ଆଲୋକବର୍ଷ ଦୂରରେ ଏକ ଦ୍ୱିତୀୟ ସୌର ଜଗତର ସନ୍ଧାନ ମିଳିଛି। ଏହାକୁ ହୋଲି ଗ୍ରେଲ୍‌ ଭାବେ ନାମିତ କରାଯାଇଛି। ଏଠାରେ ଥିବା ଗ୍ରହମାନଙ୍କ ଉପରେ ମହାକାଶବିଜ୍ଞାନୀମାନେ ଏବେ ନାନା ତଥ୍ୟ ସଂଗ୍ରହ କରିବାରେ ଲାଗିଛନ୍ତି। ଏହି ସୌର ଜଗତରେ ଥିବା କେତେକ ଗ୍ରହରେ ଜୀବନ ଥିବାର ଆଶା ରହିଛି ବୋଲି ନାସା ପକ୍ଷରୁ କୁହାଯାଇଛି।

ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ସୌର ଜଗତରେ ପୃଥିବୀଠାରୁ ସମ୍ପୂର୍ଣ୍ଣ ଭିନ୍ନ ସାତୋଟି ଗ୍ରହ ନିଜ ନିଜ କକ୍ଷପଥରେ ରହିଛନ୍ତି। ଏହି ଗ୍ରହଗୁଡିକ ସଂଗୀତର ନୋଟସ୍‌ ପରି ସଜାଇ ହୋଇ ରହିଛନ୍ତି। ତେଣୁ ମହାକାଶ ବିଜ୍ଞାନୀମାନେ ଏହି ଗ୍ରହଗୁଡ଼ିକୁ ‘ହାରମୋନି’ ବୋଲି କହୁଛନ୍ତି।

ଗ୍ରହଗୁଡିକ କିପରି ସୃଷ୍ଟି ହେଲା ସେ ନେଇ ଗବେଷଣା ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଆକଳନ ଅନୁଯାୟୀ ଏହି ଗ୍ରହଗୁଡ଼ିକ ପୃଥିବୀଠାରୁ ୧୦ ଗୁଣ ଅଧିକ ଦ୍ରୁତ ଗତିରେ ସୃଷ୍ଟି ହୋଇଥିବେ। ବିଶେଷଜ୍ଞମାନେ ଅନୁସନ୍ଧାନ ପାଇଁ ଜଟିଳ ପ୍ରକ୍ରିୟା ଉପରେ ନିର୍ଭର କରୁଛନ୍ତି।

କାରଣ ୪୦ ଆଲୋକବର୍ଷ ଦୂରରେ ଥିବା ଗ୍ରହଗୁଡ଼ିକ ନିକଟରେ ପହଞ୍ଚିବା ଅସମ୍ଭବ। ବୋର୍ଡୋ ୟୁନିଭରସିଟିର ଜ୍ୟୋତିର୍ବିଜ୍ଞାନୀ ସିନ ରେମଣ୍ଡ ଏକ କହିଛନ୍ତି ଯେ ଗ୍ରହରେ ପଥର ଗଠନ ପରେ ଏଥିରେ ବିଭିନ୍ନ ପଦାର୍ଥ ପରସ୍ପର ମଧ୍ୟରେ ଧକ୍କା ହୋଇଥାନ୍ତି। ଏହାକୁ ବିସ୍ଫୋରଣ କିମ୍ବା ଲେଟ୍‌ ଆକ୍ରେଟେଶନ କୁହାଯାଏ।
ଏସବୁ ଗ୍ରହଗୁଡ଼ିକରେ ଜଳ ଏବଂ ଜୀବନ ବିଦ୍ୟମାନ ଥାଇପାରେ ବୋଲି ଅନୁମାନ କରାଯାଉଛି। ସମ୍ପ୍ରତି ଆମେରିକାର ସ୍ପେସ ଏଜେନ୍ସି ନାସା ମଙ୍ଗଳ ଗ୍ରହରେ ଜୀବନର ପ୍ରମାଣ ଖୋଜୁଛି। ନାସାର ରୋଭର୍ସ ମଙ୍ଗଳ ଗ୍ରହର ଅନୁସନ୍ଧାନ କରୁଛି ଏବଂ କ୍ରମାଗତ ଭାବରେ ଚିତ୍ର ପଠାଉଛି। ଏହି ଚିତ୍ର ଅନୁସାରେ ଅନୁମାନ କରାଯାଉଛି ଯେ ଲକ୍ଷଲକ୍ଷ ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ସମୁଦ୍ର ଓ ନଦୀ ଥିଲା।

Share