ଜୁନାଗଡ଼ରେ ପ୍ରାଚୀନ ନଗର ସଭ୍ୟତାର ସନ୍ଧାନ

ଭବାନୀପାଟଣା,୨୨ା୫(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ପ୍ରାଚୀନ ନଗର ସଭ୍ୟତା ଧ୍ୱଂସାବଶେଷର ସନ୍ଧାନ ମିଳିଛି। ଅନ୍ତର୍ଜାତୀୟ ପତ୍ରିକା ‘ହେରିଟେଜ୍‌’ରେ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା ପରେ ବୁଦ୍ଧିଜୀବୀ, ଐତିହାସିକ ଓ କଳାହାଣ୍ଡିବାସୀଙ୍କ ମନରେ ଉତ୍ସୁକତା ବଢ଼ିଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ବରିଷ୍ଠ ଗବେଷକ ଲୋକେଶ ଦୁର୍ଗା ଓ ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପିକା ଦମୟନ୍ତୀ ବାଗ ୨୦୧୮ରେ ଉକ୍ତ ଅଞ୍ଚଳରେ ପ୍ରାୟ ମାସେ ଧରି ଅନୁସନ୍ଧାନ କରିଥିଲେ। ଏହି ଖବର ସେତେବେଳେ ପ୍ରଥମେ ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା।
ଗବେଷକମାନଙ୍କ ଅନୁସନ୍ଧାନମୂଳକ ତଥ୍ୟ ଅନୁଯାୟୀ, ଜୁନାଗଡ଼ ସହର ଏବଂ ହାତୀନଦୀ ଅବବାହିକାରେ ପ୍ରାଚୀନ ଯୁଗରୁ ମଧ୍ୟଯୁଗ ପର୍ଯ୍ୟନ୍ତ ପ୍ରତ୍ନତାତ୍ତ୍ୱିକ ଅବଶେଷ ରହିଛି। ୨୦୧୮ରେ ପ୍ରାଥମିକ ପର୍ଯ୍ୟାୟ ଅନୁସନ୍ଧାନବେଳେ ଜୁନାଗଡ଼ ଓ ଆଖପାଖ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରୁ ସ୍ମୃତି ସ୍ତମ୍ଭ, ସତୀ ସ୍ତମ୍ଭ, ଭଗ୍ନ ମନ୍ଦିର, ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତି, ଅଟ୍ଟାଳିକା, ଜଳକୂପ, ମାଟିପାତ୍ର ଭଳି କେତେକ ପ୍ରସ୍ତର ଇଟା ନିର୍ମିତ ସାମଗ୍ରୀ ମିଳିଥିଲା। ଗବେଷଣା ଅନୁଯାୟୀ, ତୃତୀୟ/ଚତୁର୍ଥ ଶତାବ୍ଦୀରୁ ମଧ୍ୟଯୁଗ ପର୍ଯ୍ୟନ୍ତ ଏହି ସହରର ନିରନ୍ତର ସାଂସ୍କୃତିକ ବିକାଶ ହୋଇଥିଲା। ପ୍ରତ୍ନତାତ୍ତ୍ୱିକ ଅବଶେଷରେ ପରିପୂର୍ଣ୍ଣ ପ୍ରାଚୀନ ନଗର ସଭ୍ୟତାର ବୈଶିଷ୍ଟ୍ୟ ଏଠାରେ ପରିଲକ୍ଷିତ ହୁଏ। ଉନ୍ନତ ଜଳସେଚନ ଏବେ ଜଳ ସମ୍ପଦର ପରିଚାଳନା, ଧର୍ମୀୟ ଭିତ୍ତିଭୂମି, କଳା ଓ ସଂସ୍କୃତି, କୃଷି, ରାଜନୈତିକ ଗତିବିଧି ଏବଂ ବାଣିଜି୍ୟକ ବିକାଶ ଭଳି ବୈଶିଷ୍ଟ୍ୟ ଏକ ଜନବସତିକୁ ବୃହତ୍‌ ଜନପତରେ ପରିଣତ କରିଥାଏ।
ଜୁନାଗଡ଼ରୁ ମିଳିଥିବା ପ୍ରତ୍ନତାତ୍ତ୍ୱିକ ଉପାଦାନ ଉପରୋକ୍ତ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରେ। ପ୍ରାକ୍‌ ମଧ୍ୟଯୁଗରେ ଛକୋଡ଼ି ବନ୍ଧ (୧୨୦) ଓ ନ କୋଡ଼ି ତୋଟା (୧୮୦) ପାଇଁ ଜୁନାଗଡ଼ ସହର ଏବଂ ଏହାର ଆଖପାଖ ଅଞ୍ଚଳ ପ୍ରସିଦ୍ଧ ଥିଲା। ସହରର ରାଣୀବନ୍ଧ, ସମିଅ ବନ୍ଧ, ହୀରା ନୀଳ ବନ୍ଧ, ତଳ ବନ୍ଧ ଏହି ବନ୍ଧଗୁଡ଼ିକର ପ୍ରମାଣ ବହନ କରେ। ସେହିପରି ତୋଟାଗୁଡ଼ିକର ପ୍ରମାଣ ହାତୀ ନଦୀକୂଳ ଭୈରିଗୁଡା ନିକଟରେ ଥିବା ଆମ୍ବତୋଟାରୁ ମିଳେ। ଏହି ପ୍ରମାଣଗୁଡ଼ିକ ଐତିହାସିକ ଜୁନାଗଡ ସହରର ଏକ ଉନ୍ନତ ଜଳସେଚନ ଏବଂ ଜଳ ପରିଚାଳନାର ମୂକସାକ୍ଷୀ। ଭୈରିଗୁଡା, ବ୍ଲକ କଲୋନୀ, ସମୀୟାବନ୍ଧପଡ଼ାରେ ଥିବା ହିନ୍ଦୁ ଦେବଦେବୀଙ୍କ ପ୍ରସ୍ତର ମୂର୍ତ୍ତି ପଞ୍ଚମରୁ ନବମ ଶତାବ୍ଦୀର ବୋଲି ଅନୁମାନ କରାଯାଉଛି। ଏହାବ୍ୟତୀତ ସୋମେଶ୍ୱର ମନ୍ଦିର, ଦଧିବାମନ ମନ୍ଦିର, ପୋଡା ମହାଦେବ ମନ୍ଦିର, ଲଙ୍କେଶ୍ୱରୀ ମନ୍ଦିର, କନକଦୁର୍ଗା ମନ୍ଦିର ମଧ୍ୟ ସପ୍ତମ ଶତାବ୍ଦୀରୁ ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ କଳା ସଂସ୍କୃତିର ବିକାଶକୁ ଉପସ୍ଥାପନ କରେ।
ମଧ୍ୟଯୁଗର ପ୍ରାରମ୍ଭରେ ଜୁନାଗଡ଼ ଜେନାବଳିପାଟଣା ନାମରେ ନାମିତ ଥିଲା। ପାଟଣା ଶବ୍ଦଟି ମୁଖ୍ୟତଃ ଏକ ବାଣିଜ୍ୟ କେନ୍ଦ୍ରକୁ ଚିହ୍ନଟ
କରିବା କ୍ଷେତ୍ରରେ ଜୁନାଗଡ଼ରେ ପ୍ରାଚୀନ ନଗର… ବ୍ୟବହାର କରାଯାଉଥିଲା। ସୁତରାଂ ଜୁନାଗନଡ଼ ଏକ ସୁପରିଚିତ ବ୍ୟବସାୟ ଏବଂ ବାଣିଜ୍ୟ କେନ୍ଦ୍ର ଥିଲା। ସହରରୁ ମିଳିଥିବା ପ୍ରତ୍ନତାତ୍ତ୍ୱିକ ଅବଶେଷ ଏହାର ପ୍ରମାଣ ଦିଏ।
ଜୁନାଗଡ଼ର ଭୌଗୋଳିକ ଅବସ୍ଥା, ଜଳସେଚନ ବ୍ୟବସ୍ଥା, କୃଷିର ବିକାଶ ଏହି ଅଞ୍ଚଳକୁ ବାଣିଜି୍ୟକ କାର୍ଯ୍ୟକଳାପ ବୃଦ୍ଧିରେ ଲାଭାନ୍ବିତ କରିଥିଲା। ଉପରୋକ୍ତ କାରଣଗୁଡ଼ିକ ଜୁନାଗଡ଼ର କଳା ସଂସ୍କୃତିକୁ ଯଥେଷ୍ଟ ପ୍ରଭାବିତ କରିଥିଲା। ଫଳରେ ଏହି ଅଞ୍ଚଳରେ ମଧ୍ୟଯୁଗ ପ୍ରାରମ୍ଭରୁ ଏକ ନଗର ସଭ୍ୟତାର ବିକାଶ ହୋଇପାରିଥିଲା। ଜୁନାଗଡ଼ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ୧୨୦ ପୋଖରୀ ଓ ୧୮୦ ତୋଟାର ଉଲ୍ଲେଖ ନାହିଁ। କିନ୍ତୁ ପ୍ରଶାସନର ଅଣଦେଖା ଓ ଗବେଷକମାନଙ୍କ ଉଦାସୀନତା ଯୋଗୁ ଆଜି ଏହି ପୁରାତନ ସହରର ଇତିହାସ ଲୋକଲୋଚନକୁ ଆସିପାରୁନାହିଁ। ପ୍ରତ୍ନତତ୍ତ୍ୱ ବିଭାଗ ଖନନ କଲେ ଏହି ସହରର ଇତିହାସ ବିଶ୍ୱ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡିପାରିବ ବୋଲି ବରିଷ୍ଠ ଗବେଷକ ଲୋକେଶ ଦୁର୍ଗା ଉଲ୍ଲେଖ କରିଛନ୍ତି।

Share