ମହାଜାଗତିକ ରଶ୍ମିର ଆବିଷ୍କାର

କିନ୍ତୁ ତାଙ୍କର ଏହି ସନ୍ଦେହ ଅମୂଳକ ବୋଲି ପ୍ରମାଣ ହେଲା, କାରଣ ଲୁହା ଏଥିରୁ ମୁକ୍ତ ଥିଲା। ଏହି ପୃଷ୍ଠଭୂମିରେ ସେ ୧୯୧୦ରେ ଏକ ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ପୃଥିବୀର ତେଜଷ୍କ୍ରିୟ ବସ୍ତୁ (କୃତ୍ରିମ ହେଉ ଅବା ପ୍ରାକୃତିକ) ବାୟୁ ଆୟନନ ପାଇଁ ସମ୍ପୂର୍ଣ୍ଣ ଦାୟୀ ନୁହେଁ। ଏହା ପଛରେ ଅତିରିକ୍ତ ଭାବେ ଯେଉଁ ଅନ୍ୟ ଏକ କାରଣ ଥାଇପାରେ, ତାହା ହେଉଛି, ବହିରାଗତ ଗାମା ରେ’। ଉଲ୍‌ଫଙ୍କ ସିଦ୍ଧାନ୍ତକୁ ସେତେବେଳେ ବୈଜ୍ଞାନିକମାନେ ବିଶେଷ ଗୁରୁତ୍ୱ ଦେଇ ନ ଥିଲେ। କିନ୍ତୁ ଏହାର ଦୁଇ ବର୍ଷ ପରେ ଯେଉଁ ଗବେଷକ ଗମ୍ଭୀର ଭାବେ ମନୋନିବେଶ କଲେ, ସେ ହେଉଛନ୍ତି ଅଷ୍ଟ୍ରିଆର ବୈଜ୍ଞାନିକ ଭିକ୍ଟର ହେସ୍‌।
୧୯୧୦ରେ ସଂଗୃହୀତ ଆୟନନ ପରିମାଣରୁ ସଙ୍କେତ ମିଳିଲା ଯେ, ବାୟୁମଣ୍ଡଳର ଆୟନନ କେବଳ ପୃଥିବୀ ସହ ସମ୍ପୃକ୍ତ (ଟେରିଷ୍ଟ୍ରିଆଲ) ନୁହେଁ। ତେଣୁ ଗବେଷକମାନେ ଆଇଫଲ ଟାଓ୍ବାରଠାରୁ ଅଧିକ ଉଚ୍ଚତାରେ ମାପିବାକୁ ପରିଚାୟକକୁ ବେଲୁନରେ ନେଲେ। କିନ୍ତୁ ସେମାନଙ୍କର ଯନ୍ତ୍ରପାତି ତ୍ରୁଟିପୂର୍ଣ୍ଣ ହୋଇଥିବାରୁ ନିର୍ଭରଯୋଗ୍ୟ ଫଳ ମିଳିଲା ନାହିଁ। ଆୟନନର ଉତ୍ସ ପୂର୍ବ ପରି ସନ୍ଦେହ ଘେରରେ ରହିଲା। ଏମିତି ଅନିଶ୍ଚିତ ସ୍ଥିତିରେ ହେସ୍‌ ତାଙ୍କ ଉପକରଣକୁ ପ୍ରଥମେ ଉନ୍ନତ କଲେ। ବାୟୁମଣ୍ଡଳର ଉଚ୍ଚକୁ ଯିବା ବେଳେ ତାପ ଓ ଚାପର ପରିବର୍ତ୍ତନ ଘଟିଥାଏ। ବ୍ୟବହୃତ ଯନ୍ତ୍ରପାତି ଏହି ପରିବର୍ତ୍ତନ ଯୋଗୁ ଯେପରି ଖରାପ ନ ହୁଏ, ଏହା ତାଙ୍କର ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। ଏଥିସହିତ ସେ ହିସାବ କଲେ ଯେ, ଭୂପୃଷ୍ଠରୁ ୫୦୦ ମିଟର ଉପରକୁ ଗଲେ, ସେଠାରେ ଭୂ-ଜନିତ ତେଜଷ୍କ୍ରିୟତା ଶୂନ୍ୟ ହୋଇ ଆୟନନ ଆଉ ଘଟିବ ନାହିଁ। ତେଣୁ ସେ ଯେଉଁ ପରୀକ୍ଷା ଏଣିକି କରିବେ, ତାହା ପାଞ୍ଚ ଶହ ଉଚ୍ଚତାକୁ ଅତିକ୍ରମ କରିବା ନିହାତି ଦରକାର।
ହଟ୍‌ ଏୟାର ବେଲୁନ ବ୍ୟବହାର କରି ହେସ୍‌ ୧୯୧୧ରୁ ୧୯୧୩ ମଧ୍ୟରେ ଦଶଥର ଭିନ୍ନ ଭିନ୍ନ ଜାଗା ବାଛି ବେଲୁନରେ ସୁଉଚ୍ଚ ସ୍ଥାନରେ ପହଞ୍ଚତ୍ଲେ। ସେ ଲକ୍ଷ୍ୟ କଲେ ଯେ, ପ୍ରାଥମିକ ସ୍ତରରେ ଅଳ୍ପ ଉଚ୍ଚତାରେ ଆୟନନ କମିଲେ ସୁଦ୍ଧା, ଉଚ୍ଚତା ବୃଦ୍ଧି ହେଲେ ଏହା ବଢ଼ିବାରେ ଲାଗିଲା। ୧୭ ଏପ୍ରିଲ ୧୯୧୨ରେ ପୂର୍ଣ୍ଣ ସୂର୍ଯ୍ୟୋପରାଗ ଘଟିଥିଲା। ସେହି ଦିନଟିକୁ ସେ ପରୀକ୍ଷା ପାଇଁ ବାଛିଥିଲେ। ତେବେ ଏହି ଦିନର ଆୟନନ ରେକର୍ଡରୁ ଜଣାଗଲା ଯେ, ସେଥିରେ ପୂର୍ବ ଦିନମାନଙ୍କ ଅପେକ୍ଷା କୌଣସି ପ୍ରକାରେ ଭିନ୍ନତା ପରିଲକ୍ଷିତ ହେଲା ନାହିଁ। ଏଥିରୁ ସ୍ପଷ୍ଟ ହେଲା ଯେ, ବର୍ଦ୍ଧିତ ଆୟନନ ପାଇଁ ସୂର୍ଯ୍ୟଙ୍କ ଭୂମିକା ନଗଣ୍ୟ। ଅନ୍ତରୀକ୍ଷ ହିଁ ଏହାର ମୂଳ କାରକ ବୋଲି ପ୍ରତୀତ ହେଲା। ୧୯୨୫ ମସିହାରେ ରବର୍ଟ ମିଲିକାନ୍‌ ଏହି ରହସ୍ୟଜନକ ଘଟଣା ପଛରେ ଥିବା ବିକିରଣକୁ ମହାଜାଗତିକ ରଶ୍ମି ବା କସ୍ମିକ ରେ’ ବୋଲି ନାମିତ କଲେ। ଭିକ୍ଟର ହେସ୍‌ କସ୍ମିକ ରେ’ ଆବିଷ୍କାରକ ଭାବେ ସ୍ବୀକୃତ ହେଲେ।

(ଶେଷ ଭାଗ)
-ଡ. ନିଖିଳାନନ୍ଦ ପାଣିଗ୍ରାହୀ
ବଡ଼ଖେମୁଣ୍ଡି ବାଲୋଂ,
ଉତ୍କଳ ଆଶ୍ରମ ରୋଡ୍‌, ବ୍ରହ୍ମପୁର
ମୋ: ୯୦୭୮୭୪୩୮୪୩