Categories: ଜାତୀୟ

ସମଲିଙ୍ଗୀ ବିବାହର ନିଷ୍ପତ୍ତି ବିବେକ ଅନୁଯାୟୀ ନେଇଛି: ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୨୪।୧୦: ସମଲିଙ୍ଗୀ ବିବାହର ନିଷ୍ପତ୍ତି ବିବେକ ଅନୁଯାୟୀ ନେଇଛି ବୋଲି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ ଜର୍ଜିଆ ଟାଉନ ୟୁନିଭରସିଟି ଆଇନ କେନ୍ଦ୍ର, ୱାଶିଂଟନ ଡିସି ଏବଂ ସୋସାଇଟି ଫର୍‌ ଡେମୋକ୍ରାଟିକ ରାଇଟ୍ସ ଦ୍ୱାରା ଆୟୋଜିତ ହୋଇଥିବା ‘ତୃତୀୟ ତୁଳନାତ୍ମକ ସାମ୍ବିଧାନିକ ଆଇନ ଆଲୋଚନା’ରେ ତାଙ୍କ ଅଭିଭାଷଣରେ ଏହା କହିଛନ୍ତି।

ସାମ୍ବିଧାନିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦିଆଯାଇଥିବା ନିଷ୍ପତ୍ତି ବିବେକର ସ୍ବର ଏବଂ ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ମୋର ନିଷ୍ପତ୍ତି ଊପରେ ମୁଁ କାଏମ ରହିଛି। ସମ୍ବିଧାନର ପାଞ୍ଚଜଣ ବିଚାରପତିଙ୍କ ଏକ ବେଞ୍ଚ ସମଲିଙ୍ଗୀ ବିବାହ ଉପରେ ବିଚାର କରି ଏହାକୁ ଭାରତୀୟ ସମାଜ ଆଧାରରେ ବେଆଇନ ବୋଲି ରାୟ ଦେଇଥିଲେ। ତେବେ ବେଞ୍ଚର ତିନିଜଣ ବିଚାରପତି ଏହାକୁ ବିରୋଧ କରିଥିଲେ। ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ନ ଦେଇ ସଂସଦ ଉପରେ ଏହି ପ୍ରସଙ୍ଗରେ ଆଇନ ପ୍ରସ୍ତୁତ କରିବାକୁ ଛାଡି ଦେଇଛନ୍ତି।

ସମଲିଙ୍ଗୀ ବିବାହ ଉପରେ ରାୟ ଦେବାବେଳେ ସମ୍ବିଧାନ ବେଞ୍ଚର ସମସ୍ତ ବିଚାରପତି ସହମତ ହୋଇଥିଲେ ବିବାହ ସମାନତା ଆଣିବା ପାଇଁ ଆଇନ ପରିବର୍ତ୍ତନ କରିବା ବିଧାନସଭାର ଅଧିକାରରେ ହସ୍ତକ୍ଷେପ ହେବ। ତେବେ ସମାନ ନାଗରିକ ଅଧିକାର ଏବଂ ପୋଷ୍ୟ ସନ୍ତାନ ଅଧିକାରକୁ ନେଇ ବିଚାରପତିଙ୍କ ମଧ୍ୟରେ ମତଭେଦ ରହିଥିଲା। ପ୍ରଧାନ ବିଚାରପତଏବଂ ଜଷ୍ଟିସ ଏସ.କେ କୌଲ ସମଲିଙ୍ଗୀ ସମ୍ପର୍କକୁ ସ୍ବୀକୃତି ଦେବା ସପକ୍ଷରେ ଥିଲେ କିନ୍ତୁ ଅନ୍ୟ ତିନିଜଣ ବିଚାରପତି ଏହାକୁ ବିରୋଧ କରିଥିଲେ।

ରାୟରେ ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ କହିଛନ୍ତି ବିବାହ ଏକ ମୌଳିକ ଅଧିକାର ନୁହେଁ।

Share