ନିରୀହ ପଶୁର ମାତୃତ୍ୱ ଆଗରେ ହାରମାନିଛି ଭେଦଭାବ

ଭବାନୀପାଟଣା,୧୮ା୭(ସ୍ବ.ପ୍ର.) : ଆଜିର ଏହି ସ୍ବାର୍ଥପର ଦୁନିଆରେ ମଣିଷ ନିଜ ମାନବିକତା ହରାଇ ପଶୁ ଭଳି ବ୍ୟବହାର କରୁଥିବାବେଳେ କେତେକ ମା’ ମଧ୍ୟ ଜନ୍ମିତ ଶିଶୁକୁ ନିଜ ବକ୍ଷରୁ ସ୍ତନ୍ୟପାନ କରାଇ ଦେଉନାହାନ୍ତି । ଏପରି ସ୍ବାର୍ଥପର ସମାଜରେ ପଶୁଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅନାବିଳ ମାତୃତ୍ୱର ନିଆରା ନିଦର୍ଶନ। ନିରୀହ ପଶୁଟିଏ କେମିତି ନିଜର ଛୁଆକୁ ନୁହେଁ ବରଂ ଅନ୍ୟ ଛୁଆକୁ ଅତି ସ୍ନେହରେ ସ୍ତନ୍ୟପାନ କରାଉଛି ତାହା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କୋକସରାଠାରେ। ଗୋଟେ ବୁଲା ମାଈ କୁକୁର ନିଜର ମମତା ଦେଖାଇ ଗୋଟାଏ ବିରାଡ଼ି ଛୁଆକୁ କ୍ଷୀର ପାନ କରାଉଛି। ନ ଦେଖିଲେ ବିଶ୍ୱାସ କରିହେବନି। ସତରେ ପଶୁଟିଏ ହୋଇ ମଧ୍ୟ ନିଜ ଅନାବିଲ ମାତୃତ୍ୱ ଦେଖାଇଛି କୁକୁର। ଏହି ବୁଲା ମାଈ କୁକୁର କିଛିଦିନ ତଳେ ୩ଟି ଛୁଆ ଜନ୍ମ ଦେଇଥିଲା। ହେଲେ ସେ ଭିତରୁ ଗୋଟେ ଛୁଆର ମୃତ୍ୟୁ ଘଟିଥିଲା। ସେହି ସମୟରେ ଏହି ବିରାଡ଼ି ଛୁଆକୁ ତା ମା’ ଛାଡ଼ି ଚାଲିଗଲା ସେହି ଦିନଠୁ କୁକୁରଟି ପ୍ରତିଦିନ ବିରାଡ଼ି ଛୁଆକୁ ସ୍ତନ୍ୟପାନ କରାଉଛି। ଶୁକ୍ରବାର ଜଣେ ବ୍ୟକ୍ତି ଏହି ଭିଡିଓ ଉତ୍ତୋଳନ କରିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପଶୁଟିଏ ହୋଇ ମଧ୍ୟ ସମ୍ପର୍କ ଓ ମମତାର ଡୋରିରେ ବାନ୍ଧି ରଖି ମଣିଷ ସମାଜ ପାଇଁ ଏକ ନିଚ୍ଛକ ଉଦାହରଣ ସୃଷ୍ଟି କରିଛି।

Share