Categories: ଜାତୀୟ

ଛତିଶଗଡ଼ ବିଧାନସଭା ନିର୍ବାଚନ ନେଇ କଂଗ୍ରେସର ରଣନୀତି ଆଲୋଚନା

ନୂଆଦିଲ୍ଲୀ, ୨୯ା୬: ଚଳିତ ବର୍ଷ ଶେଷ ଭାଗରେ ଛତିଶଗଡ଼ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ବୁଧବାର କଂଗ୍ରେସର ଶୀର୍ଷନେତାମାନଙ୍କର ବୈଠକ ବସି ରଣନୀତି ସମ୍ପର୍କରେ ଆଲୋଚନା ହୋଇଛି। ଏଆଇସିସି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଛତିଶଗଡ଼ ଦାୟିତ୍ୱରେ ଥିବା ଦଳର ପ୍ରଭାରୀ କୁମାରୀ ସେଲ୍‌ଜା, ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ବେଣୁଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟବାସୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଦଳୀୟ କର୍ମୀମାନେ ଏକାଠି କାମ କରିବା ଆବଶ୍ୟକ ବୋଲି ଖାର୍ଗେ କହିଥିଲେ। ଦଳ ରଣନୀତି ଉପରେ ବିଚାର ବିମର୍ଶ ହୋଇଥିଲା। ବୈଠକରେ ରାଜ୍ୟ କଂଗ୍ରେସ ସଭାପତି ମୋହନ ମର୍କାମ ଏବଂ ମନ୍ତ୍ରୀ ଟି.ଏସ୍‌. ସିଂଦେଓ ଉପସ୍ଥିତ ଥିଲେ। ତେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପରିବର୍ତ୍ତନ ସମ୍ଭାବନାକୁ ସିଂଦେଓ ଖଣ୍ଡନ କରିଛନ୍ତି। କଂଗ୍ରେସ ଗତ ୫ ବର୍ଷ ମଧ୍ୟରେ କରିଥିବା ବିକାଶମୂଳକ କାର୍ଯ୍ୟ ଆଧାରରେ ଏଥର ନିର୍ବାଚନ ଲଢ଼ିବ ବୋଲି ସେ କହିଛନ୍ତି।

Share