Categories: ଖେଳ

ମେଲବୋର୍ନରେ ଭାରତ-ପାକିସ୍ତାନ ଟେଷ୍ଟ ମ୍ୟାଚ ହେବା ନେଇ ଚର୍ଚ୍ଚା, ଭିକ୍ଟୋରିଆ ସରକାରଙ୍କ ଉଦ୍ୟମ…

ମେଲବୋର୍ନ,୨୯।୧୨ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୫ ବର୍ଷ ପରେ ପୁଣି ଟେଷ୍ଟ ମ୍ୟାଚ ଖେଳାଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କ୍ରିକେଟର ଦୀର୍ଘତମ ଫର୍ମାଟରେ, ଏହି ଦୁଇ ଦଳ ଶେଷ ଥର ପାଇଁ ୨୦୦୭ ରେ ମୁହାଁମୁହିଁ ହୋଇଥିଲେ ଏବଂ ମ୍ୟାଚ ଡ୍ରରେ ଶେଷ ହୋଇଥିଲା। ଏବେ ମେଲବୋର୍ନରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ ପୁଣି ଥରେ ଖେଳାଯାଇପାରିବାର ଆଶା ଦେଖାଦେଇଛି।

ଅକ୍ଟୋବରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ମ୍ୟାଚ ଏହି ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା। ଏକ ରେକର୍ଡ ସଂଖ୍ୟକ ୯୦,୨୯୩ ଦର୍ଶକ ଏହି ମ୍ୟାଚ ଦେଖିଥିଲେ। ଏହା ପରେ ଏମସିଜି ଚଳାଉଥିବା ମେଲବୋର୍ନ କ୍ରିକେଟ କ୍ଲବ ଏବଂ ଭିକ୍ଟୋରିଆ ସରକାର ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଏକ ଟେଷ୍ଟ ମ୍ୟାଚ ଆୟୋଜନ ବିଷୟରେ ଉଦ୍ୟମ ଆରମ୍ଭ କରିଛନ୍ତି। ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ସେନ ରେଡିଓରେ କଥାବାର୍ତ୍ତା କରି ଏମସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଷ୍ଟୁଆର୍ଟ ଫକ୍ସ ଏହି ସୂଚନା ଦେଇଛନ୍ତି।

୨୦୦୭ ପରଠାରୁ ଭାରତ ଏବଂ ପାକିସ୍ତାନ ପରସ୍ପର ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳି ନାହାଁନ୍ତି ଏବଂ ୨୦୧୩ ପରଠାରୁ ଦୁଇ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ହୋଇନାହିଁ। ବର୍ତ୍ତମାନ ଏହି ଦୁଇ ଦେଶ କେବଳ ଏସିଆ କପ ଏବଂ ବିଶ୍ୱକପରେ ପରସ୍ପର ବିପକ୍ଷରେ ଖେଳୁଛନ୍ତି।
ଏହା ବିଷୟରେ ଆଇସିସି ସହିତ କଥାବାର୍ତ୍ତା ହେବ ଏବଂ ଏହା ପାଇଁ ଆଗକୁ ବଢ଼ିବ ବୋଲି ଚର୍ଚ୍ଚା ହେଉଛି।

୨୦୨୩ ରୁ ୨୦୨୭ ମଧ୍ୟରେ କାର୍ଯ୍ୟସୂଚୀରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ନାହିଁ। ପାକିସ୍ତାନ ୨୦୨୩ ଏସିଆ କପ ଆୟୋଜନ କରୁଛି ଏବଂ ଚଳିତ ବର୍ଷ ଭାରତରେ ଏକଦିବସୀୟ ବିଶ୍ୱକପ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ଯାତ୍ରାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଛି।

Share