ନୂଆ ମୁଖ୍ୟମନ୍ତ୍ରୀ ମୋହନଙ୍କ ସହ ସନାତନ ମୁହାକୁଡ଼ଙ୍କ ଫଟୋକୁ ନେଇ ଚର୍ଚ୍ଚା

କେନ୍ଦୁଝର,୧୨ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ନେତୃତ୍ୱ ରାଜ୍ୟରେ ମୋହନ ମାଝି ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଶୁଭେଚ୍ଛାର ବାର୍ତ୍ତାର ସୁଅ ପହଞ୍ଚିଛି। ଏପରିକି ରାତି ତମାମ କେନ୍ଦୁଝର ଭାଜପା ନେତା, କର୍ମୀ, ସମର୍ଥକଙ୍କ ଭିଡ ମୋହନ ମାଝିଙ୍କ ପାଖରେ ଭିଡ଼ ଜମିଥିଲା। ସମସ୍ତେ ନୂଆ ମୁଖ୍ୟମନ୍ତ୍ରୀଙ୍କ ସହିତ ସେଲ୍ଫି ଉଠାଇବାକୁ ହାତଛଡ଼ା କରି ନ ଥିଲେ। ଅନେକ ସେଲଫି ଫଟୋକୁ ସାମାଜିକ ଗଣ ମାଧ୍ୟମରେ ଛାଡ଼ି ଥିଲେ। ଏପରିକି ଅନେକ ମୋହନଙ୍କ ସହିତ ଉଠାଇ ଥିବା ପୁରୁଣା ଫଟୋକୁ ମଧ୍ୟ ଛାଡ଼ିବା ସହିତ ଶୁଭେଚ୍ଛା ଜଣାଇଥିଲେ। ତେବେ ଏହା ମଧ୍ୟରେ ଚମ୍ପୁଆ ବିଜେଡି ବିଧାୟକ ସନାତନ ମହାକୁଡ଼ ମଧ୍ୟ ଶୁଭେଚ୍ଛା ଦେବାକୁ ଯାଇଥିବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବ ଚର୍ଚ୍ଚାର ବିଷୟ ହୋଇଥିଲା। ଭାଜପା ଓ ବିଜେଡି ନିର୍ବାଚନ ସମୟରେ ପରସ୍ପର ବିରୋଧରେ ନା ନା ବୟାନ ବାଜି କରିଥିବା ବେଳେ ଏଭଳି ସମୀକରଣକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସନାତନ ମହାକୁଡ଼ କୁଆଡ଼େ ଭାଜପା ଆଡ଼କୁ ଢ଼ଳୁ ଥିବା ନେଇ କିଛି ଦିନ ତଳେ ଗଣ ମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଏଣୁ ସେ କୁଆଡ଼େ ବିଜେଡି ନେତାଙ୍କ ଡାକରାକୁ ଅଣଦେଖା କରିଥିଲେ। ସେହିପରି ଭାଜପାର କେତେକ ନେତାଙ୍କୁ ନିର୍ବାଚନ ସମୟରେ ପରୋକ୍ଷରେ ସମର୍ଥନ କରିଥିବା ଓ ଦଳୀୟ ନେତାଙ୍କ ବିରୋଧରେ ଛିଡ଼ା ହୋଇଥିବା ନେତାଙ୍କ ପାଇଁ ତାଙ୍କ ସମର୍ଥକମାନେ ପ୍ରଚାର କରିଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଜିଲାର ମୁଖ୍ୟମନ୍ତ୍ରୀ, ଏଣୁ ଦେଖା କରିବାକୁ ଯାଇଥିଲେ ବୋଲି ତାଙ୍କ କେତେକ ସମର୍ଥକ ସଫେଇ ଦେଉଥିବା ବେଳେ ପ୍ରକୃତରେ ତାଙ୍କ ଆଭିମୁଖ୍ୟ କ’ଣ ସନାତନ ମହାକୁଡ଼ ହିଁ କହିପାରିବେ ବୋଲି ବୁଦ୍ଧିଜୀବୀମାନେ ଆଲୋଚନା କରୁଛନ୍ତି।

Share