ଆଜି ଆଲୋଚନା, ବାହାରିପାରେ ନିଷ୍କର୍ଷ

ଭୁବନେଶ୍ୱର,୨୩।୯(ଅସମାପିକା ସାହୁ): ପ୍ରାଥମିକ ଶିକ୍ଷକଙ୍କ ୩ଦଫା ଦାବି ସମ୍ପର୍କରେ ଶନିବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଲୋଚନା ହେବ। ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ଆଲୋଚନା ହୋଇଥିଲେ ମଧ୍ୟ ଶିକ୍ଷକମାନେ ଜିଦ୍‌ରେ ଅଟଳ ରହିଥିଲେ। ତେଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଲୋଚନା ହେବା ପରେ ଶିକ୍ଷକମାନେ ଆନ୍ଦୋଳନରୁ ଓହରିପାରନ୍ତି ବୋଲି ଆଶା କରାଯାଉଛି।
ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିକ୍ଷକ ଆନ୍ଦୋଳନ ଶୁକ୍ରବାର ୧୫ଦିନରେ ପହଞ୍ଚତ୍ଛି। ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଦାବି ପୂରଣ ନ ହେବା ଯାଏ ଆମେ ଉଠିବୁ ନାହିଁ ବୋଲି ସେମାନେ କହିଛନ୍ତି। ଆନ୍ଦୋଳନ ଯୋଗୁ ରାଜ୍ୟରେ ପ୍ରାଥମିକ ଶିକ୍ଷା ଠପ୍‌ ହୋଇଯାଇଛି। ଅଧିକାଂଶ ସ୍କୁଲରେ ଏବେ ବି ତାଲା ପଡ଼ିଛି। ତେଣୁ ପିଲାଙ୍କ ଭବିଷ୍ୟତ ପ୍ରଭାବିତ ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଶନିବାର ଆଲୋଚନା ପାଇଁ ଶିକ୍ଷକ ସଂଘକୁ ଡକରା ଆସିଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅପରାହ୍ନ ୫ଟାରେ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା ହେବା ନେଇ ସୂଚନା ମିଳିଛି।
ଠିକା ନିଯୁକ୍ତି ଉଚ୍ଛେଦ, ପୁରୁଣା ପେନ୍‌ସନ ସହ କେନ୍ଦ୍ରୀୟ ହାରରେ ଦରମା ଅନୁସାରେ ୪୨୦୦ ଟଙ୍କା ଗ୍ରେଡ୍‌ ପେ’ ଲାଗୁ କରିବା ଦାବିରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ଆହ୍ବାନରେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଥିଲେ। ତେବେ ଗତ ୧୮ତାରିଖରେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଠକ ପରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ସମେତ ଦୁଇଟି ଶିକ୍ଷକ ସଂଘ ଆନ୍ଦୋଳନରୁ ଓହରି ଯାଇଥିଲେ ମଧ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ନେତୃତ୍ୱରେ ୯ଟି ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି।
ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି, ୨୩ତାରିଖ ଦିନ ବ୍ଲକ ସ୍ତରରେ ବୈଠକ ଅନୁଷ୍ଠିତ ହେବ। ୨୪ରେ ଭୁବନେଶ୍ୱରରେ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଏବଂ ୨୬ରେ ମହାସମାବେଶ ହେବ। ଶନିବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଲୋଚନା ହେବ। ଆମେ ପୂର୍ବରୁ ବି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲୁ। ତେଣୁ ଆଲୋଚନା ସଫଳ ହେଲେ ଆମେ ଆମ କାର୍ଯ୍ୟ ସମ୍ପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନେବୁ ବୋଲି ସେ କହିଛନ୍ତି।

Share