ଜାରି ରହିବ ନର୍ସିଂ କର୍ମଚାରୀ ଆନ୍ଦୋଳନ: ସରକାରଙ୍କ ସହ ଆଲୋଚନା ବିଫଳ

ଭୁବନେଶ୍ୱର,୨୫।୯: ଜାରି ରହିବ ନର୍ସିଂ କର୍ମଚାରୀ ଆନ୍ଦୋଳନ। ବୁଧବାର ସରକାରଙ୍କ ସହ ଆଲୋଚନା ବିଫଳ ହୋଇଥିବା ସଂଘର ପକ୍ଷରୁ ସୂଚନା ମିଳିଛି। ସ୍ବାସ୍ଥ୍ୟ ସଚିବ ସହ ଆଲୋଚନା ପରେ ସଂଘର ଏହି ନିଷ୍ପତ୍ତି ନେଇଛି। ୧୦ ଦଫା ଦାବିରେ ସଂଘ ଆନ୍ଦୋଳନ ଜାରି ରଖିବ। ତେବେ ନର୍ସିଂ କର୍ମଚାରୀ ଉଚ୍ଚସ୍ତରୀୟ ବୈଠକ ଦାବି ଲାଗି ସମୟ ମାଗିଛନ୍ତି ସ୍ବାସ୍ଥ୍ୟ ସଚିବ। ଏନେଇ ନର୍ସିଂ କର୍ମଚାରୀ ସଂଘର ସଭାନେତ୍ରୀ ଶୁଚିସ୍ମିତା ଦାସ ସୂଚନା ଦେଇଛନ୍ତି।

ତେବେ ବୁଧବାର ଓ ଗୁରୁବାର ଠାରୁ ଜରୁରିକାଳୀନ ରୋଗୀ ସେବାରେ ବାଧା ନ ଦେଇ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ଦାବି ପୂରଣ ନ ହେଲେ ୨୭ ତାରିଖରୁ ସମସ୍ତ ସରକାରୀ ହସ୍ପିଟାଲରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆନ୍ଦୋଳନ ନ କରିବାକୁ ଓଡ଼ିଶା ନର୍ସିଂ ନିର୍ଦ୍ଦେଶାଳୟ ପକ୍ଷରୁ ସଂଘକୁ ତାଗିଦ୍‌ କରାଯାଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡି ନଥିବା ଦେଖିବାକୁ ମିଳିଛି।

ସଂଘ ପକ୍ଷରୁ କରାଯାଉଥିବା ଦାବି ଅନୁଯାୟୀ ନର୍ସିଂ କ୍ଷେତ୍ରରେ ଆଉଟ୍‌ସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ କରିବା, ୨୦୧୩ ନଭେମ୍ବର ୧୨ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରଙ୍କ ୬ବର୍ଷିଆ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି ପ୍ରଦାନ କରିବା, ଯୋଗ୍ୟ ନର୍ସିଂ ଅଫିସରଙ୍କୁ ବରିଷ୍ଠତା ଭିତ୍ତିରେ ସିନିୟର ନର୍ସିଂ ଅଫିସର ଭାବେ ପଦୋନ୍ନତି କରିବା ଆଦି ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀ ସଂଘ ଦାବି ରଖିଛି। ରୋଗୀ ସେବାକୁ ଦୃଷ୍ଟିରେ ରଖି ୨୫ ଓ ୨୬ ତାରିଖରେ ଜରୁରୀସେବା ବ୍ୟାହତ କରାଯିବନାହିଁ। ନର୍ସିଂ ଅଫିସର ଆଇସିୟୁ, ଓଟି ଭଳି ଜରୁରିକାଳୀନ ସେବା ସ୍ବେଚ୍ଛାକୃତ ଭାବେ ଚଳାଇବେ। ତେବେ ଦୁଇଦିନ ଭିତରେ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସେ କହିଥିଲେ।

Share