ଉପବାଚସ୍ପତି ଓ ବନ୍ଦ ଲଫାପାକୁ ନେଇ ଚର୍ଚ୍ଚା

ଅନୁଗୋଳ ଅଫିସ, ୨୬।୨: ମାସର ଚତୁର୍ଥ ଶନିବାର ହୋଇଥିବାରୁ ସରକାରୀ ଛୁଟି ଥିଲା। ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା। ହେଲେ ଏମିତି କି ଜରୁରୀ କାର୍ଯ୍ୟ ପଡ଼ିଲା ଯେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ୨ ଥର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡ଼ିଲା, ତାହା ପୁଣି ବନ୍ଦ ଲଫାପା ନେଇ। ଆଉ ଉକ୍ତ ଲଫାପା ଉପବାଚସ୍ପତିଙ୍କଠାରୁ ଗ୍ରହଣ କରିବା ପରେ ଅପେକ୍ଷାରତ ଜଣେ କର୍ମଚାରୀ କାହିଁକି ତରବର ହୋଇ କାର୍ଯ୍ୟାଳୟରୁ ଛୁ ମାରିଲେ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଘଟଣା ସମ୍ପର୍କରେ ଅନୁଗୋଳରେ ଦିନତମାମ ଜୋର୍‌ଦାର ଆଲୋଚନା ଚାଲିଛି।
ଦେଖିଥିବା ଲୋକେ କହୁଛନ୍ତି, ଅପରାହ୍ନ ପ୍ରାୟ ୨ଟାରେ ଉପବାଚସ୍ପତିଙ୍କ ଗାଡ଼ି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ପଶିଥିଲା। ଅଫିସ ସମ୍ମୁଖ ପୋର୍ଟିକ ତଳେ ମାତ୍ର କେଇ ମିନିଟ୍‌ ଗାଡ଼ି ରହିବା ପରେ ପୁଣି ବାହାରି ଯାଇଥିଲା ପରିସରରୁ। ହେଲେ କେହି କିଛି ବୁଝିବା ପୂର୍ବରୁ ପୁନର୍ବାର ଉପବାଚସ୍ପତିଙ୍କ ଗାଡ଼ି ପ୍ରବେଶ କରିଥିଲା ଜିଲା କାର୍ଯ୍ୟାଳୟ ଭିତରକୁ। ଏହାପରେ ଖୋଦ୍‌ ଉପବାଚସ୍ପତି ଏକ ବନ୍ଦ ଲଫାପା ବଢ଼ାଇ ଦେଇଥିଲେ ସେଠାରେ ଅପେକ୍ଷାରତ କର୍ମଚାରୀଙ୍କୁ। ଉକ୍ତ ଲଫାପାର ବାମ ପାର୍ଶ୍ୱ ତଳେ ଉପବାଚସ୍ପତିଙ୍କ ଦସ୍ତଖତ ରହିଥିଲା। ଛୁଟି ଦିନରେ କାହିଁକି ଏପରି ବନ୍ଦ ଲଫାପା ନେଇ ନିଜେ ଉପବାଚସ୍ପତିଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିବାକୁ ପଡ଼ିଲା ଓ ସେଥିରେ କେଉଁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରହିଛି ତାହା ଜାଣିବାକୁ ସାଧାରଣରେ ବେଶ୍‌ ଉତ୍ସୁକତା ସୃଷ୍ଟି ହୋଇଥିବା ବେଳେ ଉପବାଚସ୍ପତିଙ୍କ ସହ ଗାଡ଼ିରେ ଥିବା ସହଯୋଗୀଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଥିଲା। ଏପରି କି କିଏ ଓ କାହିଁକି ଫଟୋ ଉତ୍ତୋଳନ କରିଛନ୍ତି ଏ ନେଇ ସେ ତୁଙ୍ଗ ନେତାମାନଙ୍କୁ ଖବର ଦେଇଥିଲେ। ଏହାପରେ ସମ୍ପୃକ୍ତ ତୁଙ୍ଗ ନେତା ଓ ଯୁବ ନେତାମାନେ ଫୋନ୍‌ କରି ଫଟୋ ଉଠାଇବାର କାରଣ ଜାଣିବାକୁ ଘନ ଘନ ଉଦ୍ୟମ କରିବା ଜନସାଧାରଣଙ୍କ ଉତ୍ସୁକତାକୁ ଅଧିକ ବଢ଼ାଇଦେଇଛି। ଏ ସମ୍ପର୍କରେ ଉପବାଚସ୍ପତି ସିଂହ କହିଛନ୍ତି, ଜିଲାପାଳଙ୍କ କାର୍ଯ୍ୟାଳୟ ଷ୍ଟେନୋଙ୍କ ସହିତ କଥା ହୋଇଥିଲି। ତାଙ୍କୁ ଏକ ଚିଠି ଦେବାର ଥିଲା। ଯେହେତୁ ଅନୁଗୋଳରେ ଅନୁପସ୍ଥିତ ରହିବି, ତେଣୁ ଉକ୍ତ ଚିଠି ଷ୍ଟେନୋଙ୍କୁ ଦେବାର ଆବଶ୍ୟକ ଥିବାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଯାଇଥିଲି। ହେଲେ ବିଳମ୍ବ ଯୋଗୁ ଷ୍ଟେନୋ ସେଠାରେ ନ ଥିଲେ ଓ ଜଣେ କର୍ମଚାରୀଙ୍କୁ ଚିଠି ଦେଇ ଫେରି ଆସିଲି ବୋଲି ଉପବାଚସ୍ପତି ପ୍ରକାଶ କରିଛନ୍ତି।