ପିଟିଶନ କମିଟିରେ ଶକ୍ତି ବିଭାଗର ଆଲୋଚନା

ଭୁବନେଶ୍ୱର, ୧୭।୧୧(ବ୍ୟୁରୋ): ବିଧାନସଭା ପିଟିଶନ୍‌ କମିଟି ବୈଠକ ସଂଖ୍ୟା ୫୪ନଂ ପ୍ରକୋଷ୍ଠରେ ସୋମବାର ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହା କମିଟିର ପ୍ରଥମ ବୈଠକ ହୋଇଥିବା ବେଳେ ଏଥିରେ ଶକ୍ତି ବିଭାଗ ଉପରେ ଆଲୋଚନା ଆରମ୍ଭ ହୋଇଛି। ବିଭିନ୍ନ ବିଭାଗରୁ ଆସିଥିବା ପିଟିଶନ ଉପରେ ପରବର୍ତ୍ତୀ ସମୟରେ ଆଲୋଚନା ହେବ ବୋଲି ଜଣାପଡିଛି।
ମିଳିଥିବା ସୂଚନାନୁଯାୟୀ, ଶକ୍ତି ବିଭାଗର ଅନେକ ପିଟିଶନ ରହିଥିବା ବେଳେ ୩ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ରାଜନଗରର ଏକ ଜଙ୍ଗଲ ଅଞ୍ଚଳକୁ ବିଦ୍ୟୁତ୍‌ ସୁବିଧା ଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ଶକ୍ତି ବିଭାଗ ସମ୍ପର୍କିତ ଅନ୍ୟ ବକେୟା ଥିବା ଆବେଦନ ପତ୍ର ଉପରେ ଅଦ୍ୟାବଧି ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଲୋଚନା ହୋଇଛି। ବିଧାନସଭାର ବିଭାଗୀୟ ଷ୍ଟାଣ୍ଡିଂ କମିଟି-୫ ବୈଠକ ୫୫ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଛି। କମିଟି ଅଧ୍ୟକ୍ଷ ଅଶ୍ବିନୀ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିଟି ତରଫରୁ ଭବିଷ୍ୟତରେ ଗ୍ରହଣ କରାଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଛି। ଏହି ଅବସରରେ କମିଟି ତରଫରୁ ପୂର୍ବତନ ବିଧାୟକ ତଥା ସ୍ବର୍ଗତ ପ୍ରଦୀପ ମହାରଥୀ, ବିଷ୍ଣୁ ଦାସ ଏବଂ ମଦନମୋହନ ଦତ୍ତଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରି ବୈଠକକୁ ବନ୍ଦ କରିଦିଆଯାଇଥିବା ଜଣାପଡିଛି।

Share