ସାଧାରଣତଃ ବର୍ଷା ଋତୁରେ କେତେକ ନିର୍ଦ୍ଦିଷ୍ଟ ରୋଗର ପ୍ରକୋପ ବୃଦ୍ଧି ପାଇଥାଏ। ଏହି ସମୟରେ ରୋଗ ପ୍ରତି ସତର୍କ ନ ରହିବା, ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ଠିକ୍ ସମୟରେ ଚିକିତ୍ସା ନ କରିବା ଦ୍ୱାରା ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ସମସ୍ୟା ଗୁରୁତର ଆକାର ଧାରଣ କରିଥାଏ। ଏହି ଋତୁରେ ମୁଖ୍ୟତଃ ଡାଇରିଆ (ଝାଡ଼ାବାନ୍ତି), ମ୍ୟାଲେରିଆ, ‘ଡେଙ୍ଗୁ’ ଆଦି ରୋଗର ପ୍ରକୋପ ଅଧିକ ଦେଖାଯାଇଥାଏ। ବର୍ଷା ଋତୁ ଆରମ୍ଭରେ ନଦୀ, ନାଳ, ପୋଖରୀ ଆଦି ସମସ୍ତ ଜଳାଶୟରେ ଦୂଷିତ ଜଳ ଭରପୂର ହୋଇ ରହିଥାଏ। ଉକ୍ତ ଦୂଷିତ ଜଳ ସଂସ୍ପର୍ଶରେ ଆସିଲେ ଆମେ ଡାଇରିଆ ତଥା ବିଭିନ୍ନ ରୋଗର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ବର୍ଷା ଋତୁରେ ନଦୀ, ପୋଖରୀ ଝରଣା ଜଳକୁ ପାନୀୟ ଜଳ ଭାବେ ଗ୍ରହଣ କରିବା ଅନୁଚିତ। ନଳକୂପ ଜଳକୁ ଭଲଭାବେ ସିଝାଇ ଛାଣି ପାନୀୟ ଜଳ ଭାବେ ବ୍ୟବହାର କରିବା ଉଚିତ। ଡାଇରିଆରୁ ରକ୍ଷା ପାଇବା ନିମନ୍ତେ ବର୍ଷା ଋତୁରେ ଉଷୁମ ତଥା ତଟକା ଖାଦ୍ୟ, ଉଷୁମ ଜଳ ସେବନ, ଖାଦ୍ୟ ଖାଇବା ପୂର୍ବରୁ ପରିଷ୍କାର ଭାବେ ହାତ ଧୋଇବା, ଖାଦ୍ୟକୁ ସର୍ବଦା ଘୋଡ଼ାଇ ରଖିବା ନିତାନ୍ତ ଜରୁରୀ। ବାସିଖାଦ୍ୟ, ଘୋଡ଼ା ଯାଇ ନ ଥିବା ଖାଦ୍ୟ ଖାଇବା ଆଦୌ ଠିକ୍ ନୁହେଁ। ଡାଇରିଆକୁ ପ୍ରତିରୋଧ ନିମନ୍ତେ ନିଜେ ସତର୍କ ରହିବା ସହ ନିଜ ପରିବାର ଓ ସମାଜକୁ ସଚେତନ କରିବାର ଆବଶ୍ୟକତା ରହିଛି।
ବର୍ଷା ଋତୁରେ ମ୍ୟାଲେରିଆ ଜ୍ୱରର ପ୍ରକୋପ ବୃଦ୍ଧି ପାଇଥାଏ। ସାଧାରଣତଃ ବର୍ଷା ଋତୁରେ ମଶାମାନଙ୍କର ବଂଶ ବୃଦ୍ଧି ଘଟିଥାଏ। ମାଈ ଏନୋଫିଲିସ ନାମକ ମଶା ହିଁ ମ୍ୟାଲେରିଆ ଜ୍ୱରର ବାହକ ଅଟେ। ଜଣେ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ରୋଗୀଙ୍କଠାରୁ ମାଈ ଏନୋଫିଲିସ ମଶା ପରଜୀବୀ ଭୂତାଣୁ (pasmodium) କୁ ନେଇ ଏକ ସୁସ୍ଥ ଲୋକର ଶରୀରରେ ପ୍ରବେଶ କରାଇଲା ପରେ ଜଣେ ସୁସ୍ଥ ବ୍ୟକ୍ତି ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହୋଇଥାଏ। ଏହି ମାଈ ଏନୋଫିଲିସ ମଶା ସାଧାରଣତଃ ସଫା ଓ ସ୍ଥିର ପାଣିରେ ହିଁ ଅଣ୍ଡା ଦେଇ ବଂଶ ବିସ୍ତାର କରିଥାଏ। ତେଣୁ ନିଜ ବାସଗୃହ ନିକଟ ଏବଂ ନିଜ ପରିବେଶରେ ପାଣି ଜମିବାକୁ ଦେବା ଅନୁଚିତ। ରାତିରେ ମଶାରୀ ଟାଙ୍ଗି ଶୋଇବା, ବାସ ଗୃହ ଚାରିପାଖ ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ। ଲକ୍ଷଣ ଦେଖାଦେବା ମାତ୍ରେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ମ୍ୟାଲେରିଆ କିଟ୍ ଦ୍ୱାରା ନିଜର ରକ୍ତ ନମୁନା ପରୀକ୍ଷା କରାଇବା ଉଚିତ। ପୃଥିବୀରେ ମ୍ୟାଲେରିଆ ଜୀବାଣୁ ସାଧାରଣତଃ ୪ପ୍ରକାର ଦେଖାଯାଉଥିବା ବେଳେ ଆମ ଭାରତରେ ମୁଖ୍ୟତଃ ପ୍ଲାଜମୋଡିୟମ ଫେଲସି ferum (Pf) ଓ ପ୍ଲାଜମୋଡିୟମ ଭାଇ ଭେକ୍କ୍ସ (PV) ନାମରେ ୨ ପ୍ରକାର ମ୍ୟାଲେରିଆ ଦେଖା ଦେଇଥାଏ। ଏଥିରୁ ପ୍ଲାଜମୋଡିୟମ ଫୋଲ୍ସିଫରମ (Pf) ମ୍ୟାଲେରିଆର ପ୍ରକୋପ ଅଧିକ ଅଟେ। ଠିକ୍ ସମୟରେ ଠିକ୍ ଚିକିତ୍ସା କରା ନ ଗଲେ କିମ୍ବା ରୋଗୀ ପ୍ରତି ଅବହେଳା କଲେ ରୋଗୀ ମୃତ୍ୟୁମୁଖରେ ପଡ଼ିବା ଆଶଙ୍କା ଅଧିକ ରହିଥାଏ। ମ୍ୟାଲେରିଆ ଜ୍ୱରରେ ମନୁଷ୍ୟ ଆକ୍ରାନ୍ତ ହେଲେ ଶରୀରରେ ତାପମାତ୍ରା ବୃଦ୍ଧି ହେବାସହ ରୋଗୀ ବାଉଳିଚାଉଳି ହୋଇଥାଏ। ରୋଗୀର ଏହି ଅବସ୍ଥା ଦେଖି କେତେକ ବ୍ୟକ୍ତି ଗୁଣୀ ଗାରେଡ଼ି, ଝଡ଼ାଫୁଙ୍କାର ଆଶ୍ରୟ ନେଇଥାନ୍ତି, ଯଦ୍ୱାରା ରୋଗୀର ଠିକ୍ ସମୟରେ ଚିକିତ୍ସା ହୋଇପାରି ନ ଥାଏ। ଏହାଫଳରେ ରୋଗୀଟି ଅବହେଳିତ ହୋଇ ମୃତ୍ୟୁମୁଖରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଏକ ପରିସଂଖ୍ୟାନ ଅନୁଯାୟୀ ବହୁ ବର୍ଷ ପୂର୍ବେ ଆମ ଦେଶରେ ବହୁତ ବ୍ୟକ୍ତି ମ୍ୟାଲେରିଆରେ ମୃତ୍ୟୁବରଣ କରୁଥିଲେ। ସରକାରଙ୍କର ସ୍ବାସ୍ଥ୍ୟ ବିଭାଗର ‘ଦମନ କାର୍ଯ୍ୟକ୍ରମ’ ଓ ମ୍ୟାଲେରିଆକୁ ପ୍ରତିରୋଧ ନିମନ୍ତେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ହେତୁ ମ୍ୟାଲେରିଆକୁ ପୂର୍ଣ୍ଣ ମାତ୍ରାରେ ପ୍ରତିହତ କରାଯାଇପାରିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଓଡ଼ିଶାରେ ଗତ ୩ ବର୍ଷ ମଧ୍ୟରେ ମ୍ୟାଲେରିଆ ପ୍ରାୟତଃ ୯୦ ପ୍ରତିଶତ ହ୍ରାସ ପାଇପାରିଛି, ଯାହାକି ଶୁଭ ସୂଚନା। ଏକ ସର୍ଭେରୁ ଜଣାପଡ଼ିଛି ଯେ, ଆମ ଦେଶରେ ମ୍ୟାଲେରିଆ ସଂକ୍ରମଣ ହାର ୭୪ ପ୍ରତିଶତ ହ୍ରାସ ପାଇଥିବା ବେଳେ ତୁଳନାତ୍ମକ ଭାବେ ମ୍ୟାଲେରିଆରେ ମୃତ୍ୟୁସଂଖ୍ୟା ମଧ୍ୟ ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି।
ବର୍ଷା ଋତୁରେ ଡେଙ୍ଗୁ ଏବଂ ଚିକୁନଗୁନିଆ ରୋଗର ପ୍ରାଦୁର୍ଭାବ ଅଧିକ ରହିଥାଏ। ଡେଙ୍ଗୁ ଏକ ଭୂତାଣୁଜନିତ ରୋଗ। ଏଡିସ ମଶା କାମୁଡ଼ିବା ଦ୍ୱାରା ହିଁ ଜଣେ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଥାଏ। ଉକ୍ତ ଏଡିସ ମଶା ମାଟି ସହ ସଲଗ୍ନ ହୋଇ ନ ଥିବା ଜଳ (ଭଙ୍ଗା ମାଠିଆ, ଫିଙ୍ଗା ଯାଇଥିବା ନଡ଼ିଆ ଶଢ଼େଇ, ପଇଡ଼ଖୋଳ ଏବଂ ଚା ଓ ଥଣ୍ଡା ପାନୀୟ ପ୍ଲାଷ୍ଟିକ କପ, ସାଇକେଲ ଓ ମୋଟର ସାଇକେଲର ପୁରୁଣା ଟାୟାରରେ ନିଜର ବଂଶ ବିସ୍ତାର କରିଥାଆନ୍ତି। ତେଣୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବା ସହ ବାସଗୃହ ଏବଂ ନିଜ ପରିବେଶକୁ ସଫା ରଖିବା ଜରୁରୀ ଅଟେ। ଡେଙ୍ଗୁରେ ଆକ୍ରାନ୍ତ ହେଲେ ରୋଗୀ ଜ୍ୱର ସହ ଖଞ୍ଜାରେ ଯନ୍ତ୍ରଣା (ଜଏଣ୍ଟ ପେନ୍) ଅନୁଭୂତ ହୋଇଥାଏ। ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀର ରକ୍ତ ନମୁନା ପରୀକ୍ଷା ପରେ ହିଁ ଡେଙ୍ଗୁ ଭୂତାଣୁ ଚିହ୍ନଟ ହୋଇଥାଏ। ଏଥିରେ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିବା ଉଚିତ। ଏ ସମସ୍ତ ବିଷୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ବର୍ଷା ଋତୁରେ ଜଳଜନିତ ବିଭିନ୍ନ ରୋଗରୁ ସୁରକ୍ଷା ନିମନ୍ତେ ନିଜେ ଅଧିକ ସତର୍କ ରହିବା ଦରକାର। ତା’ ସହ ଅନ୍ୟମାନଙ୍କୁ ମଧ୍ୟ ଉପରୋକ୍ତ ରୋଗ ବିଷୟରେ ସଚେତନ କରାଇବାର ଆବଶ୍ୟକତା ରହିଛି।
ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭