ଧାନ ଫସଲରେ ରୋଗ, ଚିନ୍ତାରେ ଚାଷୀ

ଲୋଇସିଂହା,୨୬।୯(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ଖରିଫ ଧାନଚାଷରେ ରୋଗପୋକ ପ୍ରାଦୁର୍ଭାବ ଦେଖାଦେଇଛି। ଏଭଳି ସମୟରେ ଗ୍ରାମ୍ୟ କୃଷି କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ଚାଷୀମାନେ ରୋଗ ଚିହ୍ନଟ କରି ନ ପାରି ସମସ୍ୟାରେ ପଡୁଛନ୍ତି। ବିଳମ୍ବିତ ବର୍ଷା ଯୋଗୁ ୨୦୨୨-୨୩ ଖରିଫ ଚାଷ ପଛେଇ ଯାଇଥିଲା। ଅଗଷ୍ଟ ପ୍ରଥମ ସପ୍ତାହରେ ବର୍ଷା ପରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ଚାଷ କାମ ଆଗେଇଥିଲା। ଏବେ ସ୍ବାଭାବିକ ବର୍ଷା ଲାଗି ରହିଛି। ହେଲେ ମେଘୁଆ ପାଗ ଲାଗି ରହିଥିବାରୁ ଧାନ ଚାଷରେ ରୋଗପୋକ ପ୍ରାଦୃର୍ଭାବ ପରିଲକ୍ଷିତ ହୋଇଛି। ବଙ୍କି, ପତ୍ରକଟାଁ ଶଢା,ମହିଷା ପ୍ରଭୃତି ପୋକ ଫସଲରେ ଲାଗି ନଷ୍ଟ କରିବାକୁ ଆରମ୍ଭ କଲାଣି। ଏପରି ସ୍ଥିତିରେ ଗ୍ରାମ୍ୟ କୃଷି କର୍ମଚାରୀ ଗାଁ ଗାଁ ଯାଇ କ୍ଷେତ୍ର ପରିଦର୍ଶନ କରିବା କଥା। ହେଲେ ସେମାନଙ୍କ ଦେଖା ମିଳୁନାହିଁ। ଚାଷୀ ନିଜେ କ୍ଷତିଗ୍ରସ୍ତ ଧାନଗଛ ଧରି ଔଷଧ ଦୋକାନକୁ ଯାଇ କୀଟନାଶକ ଆଣି ପ୍ରୟୋଗ କରୁଛନ୍ତି। ସେହି ଓଷଧ କାମ କରୁ ନ ଥିବା ବୁଢୀପଦର ପଞ୍ଚାୟତ ଅନ୍ତର୍ଗତ ଘୁଷୁରାମୁଣ୍ଡା ଗ୍ରାମର ଚାଷୀମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ କୃଷି କର୍ମଚାରୀଙ୍କ ଅବହେଳାକୁ ନେଇ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଜଣାଇଲେ ସୁଦ୍ଧା ସୁଫଳ ମିଳୁନାହିଁ। ବୁର୍ଡା ସମେତ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଏପରି ଅଭିଯୋଗ ଆସୁଛି। ଅପରପକ୍ଷେ ବିଳମ୍ବିତ ଚାଷରେ ରାସାୟନିକ ସାର ପ୍ରୟୋଗ ଜରୁରୀ ହୋଇ ପଡିଥିବା ବେଳେ ଗୁର୍ଜିଭଟା ଅଞ୍ଚଳର ଏକ ଦୋକାନରୁ କୃଷି ବିଭାଗ ନକଲଇ ସାର ଠାବ କରିବା ଚାଷୀଙ୍କ ଚିନ୍ତାକୁ ବଢାଇ ଦେଇଛି। ଏ ସମ୍ପର୍କରେ ବ୍ଲକ ଗୋଷ୍ଠୀ କୃଷି ଅଧିକାରୀ ଉମାଶଙ୍କର ମିଶ୍ର କହିଛନ୍ତି, ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନକଲି ସାର ସମ୍ପର୍କରେ ପଚାରିବାରୁ ସମ୍ପୃକ୍ତ ଦୋକାନୀଙ୍କଠାରୁ ପିଓଏସ୍‌ ମେଶିନ ଜବତ କରାଯାଇଛି ବୋଲି କହିଛନ୍ତି। ଏ ନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।