ଓଡ଼ିଶା ମୁହାଁ ବିହାରୀ ମଦ ମାଫିଆ

ଭୋଗରାଇ,୨୦।୪(ଡି.ଏନ.ଏ.)-ବିହାରର ଦାଗୀ ମଦ ବେପାରୀ ଓ ମାଫିଆମାନେ ସେଠାରେ କଳା ତାଲିକାଭୁକ୍ତ ହେବା ପରେ ଏବେ ଓଡ଼ିଶା ମୁହଁା ହୋଇଛନ୍ତି। ନିକଟରେ ଓଡ଼ିଶା ସରକାର ପ୍ରଥମଥର ପାଇଁ ମଦ ଦୋକାନ ଆବେଦନ ବେଳେ ବିନା ସର୍ଭେଲାନ୍ସରେ ଆବେଦନପତ୍ର ଗ୍ରହଣ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥିରେ ବିହାରର ବହୁ ମଦ ବେପାରୀ ଓ ମାଫିଆ ଓଡ଼ିଶାରେ ସରକାରୀ ମଦ ଦୋକାନ ଲଟେରୀ ଉଠାଣରେ ଲାଇସେନ୍ସ ପାଇଛନ୍ତି। ଏଭଳି ସ୍ଥିତିରେ ବାଲେଶ୍ୱର ଜିଲାର ସରକାରୀ ଲାଇସେନ୍ସପ୍ରାପ୍ତ ୧୦ରୁ ଊର୍ଦ୍ଧ୍ୱ ମଦ ଦୋକାନରେ ଅଣଓଡ଼ିଆ ବ୍ୟକ୍ତି ଲାଇସେନ୍ସ ପାଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଧିକାଂଶ ବିହାରୀ ରହିଛନ୍ତି। ଭୋଗରାଇ ବ୍ଲକରେ ତାଳସାରୀ, ଦେଉଳାହାଟ, ଥାନାଛକ ସ୍ଥିତ ବାଟଗ୍ରାମ ଓ କମର୍ଦ୍ଦାରେ ଠିପିବନ୍ଦ ସରକାରୀ ବିଦେଶୀ ମଦ ଦୋକାନଏ ଜଳେଶ୍ୱରରେ ୭ଟି ଓ ବାଲିଆପାଳରେ ୨ଟି ବିଦେଶୀ ମଦ ଦୋକାନ ରହିଛି। ଏ ସମସ୍ତ ସ୍ଥାନରେ ଅଧିକାଂଶ ଦାଗୀ କଳାତାଲିକାଭୁକ୍ତ ମଦ ବେପାରୀ ଲାଇସେନ୍ସ ପାଇଥିବାରୁ ବୁଦ୍ଧିଜୀବୀ ମହଲରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ଲାଇସେନ୍ସ ପାଇଥିବା ଭିନ୍ନ ରାଜ୍ୟର ମଦ ମାଫିଆମାନେ ସେଠାରେ ବହୁ ଅପରାଧରେ ଜଡ଼ିତ ଥିବା ଅଭିଯୋଗ ଥିବା ବେଳେ ଅପମିଶ୍ରିତ ମଦ ବିକ୍ରି କରି ସେମାନେ କଳାତାଲିକାଭୁକ୍ତ ହୋଇଥିବା ସୂଚନା ମିଳିଛି। ଅପମିଶ୍ରିତ ମଦ୍ୟ ପାନ କରି ବିହାରରେ ବହୁ ଲୋକଙ୍କ ଜୀବନହାନୀ ଘଟିଛି। ଓଡ଼ିଶାରେ ଅନୁରୂପ ଭାବେ ଆଇନଶୃଙ୍ଖଳା ବିଗିଡ଼ିବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ କଳାତାଲିକାଭୁକ୍ତ ହୋଇ ଲାଇସେନ୍ସ ପାଇଥିବା ମଦ ବେପାରୀଙ୍କ ଲାଇସେନ୍ସ ପ୍ରତ୍ୟାହାର ଲାଗି ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଜିଲା ଅବକାରୀ ଅଧୀକ୍ଷକ ଶେଖ୍‌ ଆସଫ୍‌ ଅଲ୍ଲୀ କୁହନ୍ତି, ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ ପୂର୍ବରୁ କଳାତାଲିକାଭୁକ୍ତ ହୋଇଥିଲେ କିମ୍ବା କୌଣସି ଅପରାଧ ମାମଲାରେ ଛନ୍ଦି ହୋଇଥିବା ଜଣାପଡ଼ିଲେ ଅଭିଯୋଗ ଓ ପ୍ରମାଣକୁ ଭିତ୍ତି କରି ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯିବା ସହିତ ସେମାନେ ଦେଇଥିବା ଅର୍ଥକୁ ଫେରସ୍ତ କରାଯିବ। ସାମାଜିକ କର୍ମୀ ହର ନାରାୟଣ ରାଉତ କୁହନ୍ତି ଭାରତବର୍ଷର କୌଣସି ରାଜ୍ୟ ଲଟେରୀ ମାଧ୍ୟମରେ ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ଦେଉ ନ ଥିବା ବେଳେ ଓଡ଼ିଶା ସରକାର ବ୍ୟତିକ୍ରମ କରିଛନ୍ତି। ଯାହାଦ୍ୱାରା ବିଭିନ୍ନ ରାଜ୍ୟର ଦୁର୍ଦ୍ଦାନ୍ତ ଅପରାଧୀ ଓ କଳାତାଲିକାଭୁକ୍ତ ବ୍ୟବସାୟୀଙ୍କୁ ଲାଇସେନ୍ସ ଦେବା ଦ୍ୱାରା ଭବିଷ୍ୟତରେ ମଦ ମୃତ୍ୟୁ ଆଶଙ୍କା ରହିଛି।

Share