ଜିଏସ୍‌ଟି ସଂଗ୍ରହରେ ଓଡ଼ିଶାର ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର, ୪।୫(ବ୍ୟୁରୋ): ଜିଏସ୍‌ଟି ପ୍ରଚଳନ ହେବା ପରଠାରୁ ଚଳିତ ଆର୍ଥିକ ବର୍ଷ (୨୦୨୧-୨୨) ଏପ୍ରିଲରେ ଓଡ଼ିଶା ୧୧୨୬.୬୭ କୋଟିର ଜିଏସ୍‌ଟି ସଂଗ୍ରହକରି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ୨୦୧୯ରେ ଏହି ସମୟରେ ରାଜ୍ୟ ଜିଏସ୍‌ଟି ସଂଗ୍ରହ ପରିମାଣ ୯୨୭.୬୦ କୋଟି ଟଙ୍କା ଥିବାବେଳେ ୨୦୨୦ ଏପ୍ରିଲରେ ଏହା ମାତ୍ର ୩୬୦.୩୬ କୋଟି ଟଙ୍କା ଥିଲା। ଏହା ପୂର୍ବରୁ ୨୦୨୧ ମାର୍ଚ୍ଚରେ ସର୍ବାଧିକ ରାଜ୍ୟ ଜିଏସ୍‌ଟି ୯୫୪.୬୨ କୋଟି ଟଙ୍କା ସଂଗୃହୀତ ହୋଇଥିଲା।
ଚଳିତ ବର୍ଷ ଏପ୍ରିଲରେ ଏତେ ଅଧିକ ପରିମାଣର ଜିଏସ୍‌ଟି ସଂଗ୍ରହ ପଛରେ ଅନେକ କାରଣ ରହିଛି। ଟିକସ ପଇଠରେ ଉନ୍ନତି, ଲୌହ ଇସ୍ପାତ କ୍ଷେତ୍ରରୁ ଅଧିକ ସଂଗ୍ରହ ଏବଂ ସର୍ବୋପରି ଟିକସ ଅଧିକାରୀଙ୍କ ଦ୍ବାରା ରିଟର୍ନ ଯାଞ୍ଚ କରାଯାଇ ଦେୟ ଜିଏସ୍‌ଟି ଆଦାୟ, କେନ୍ଦ୍ରୀୟ ଜିଏସ୍‌ଟି (ସିଜିଏସ୍‌ଟି), ସମନ୍ବିତ ଜିଏସ୍‌ଟି (ଆଇଜିଏସ୍‌ଟି) ଓ ଅତିରିକ୍ତ ଟିକସ ବାବଦରେ ଯଥାକ୍ରମେ ୯୫୨.୪୩ କୋଟି, ୧୧୫୭.୦୫ କୋଟି ଓ ୬୧୩.୩୩ କୋଟି ଟଙ୍କା ସଂଗୃହୀତ ହୋଇଛି। ମୋଟ୍‌ ଜିଏସ୍‌ଟି ପରିମାଣ ହେଉଛି ୩୮୪୯.୪୮ କୋଟି ଟଙ୍କା, ଯାହା ଏକ ସର୍ବକାଳୀନ ରେକର୍ଡ। ୨୦୧୯ ଏପ୍ରିଲରେ ଏହି ପରିମାଣ ୨୯୫୫.୬୦ କୋଟି ଟଙ୍କା ଥିବାବେଳେ କୋଭିଡ୍‌ ପ୍ରଭାବିତ ୨୦୨୦ ଏପ୍ରିଲରେ ଏହା ୭୭୪.୨୯ କୋଟି ଟଙ୍କା ଥିଲା। ଭାଟ୍‌ ପଇଠ କରୁଥିବା ସମସ୍ତ ବ୍ୟବସାୟୀ ୨୦୨୧ ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ଟିକସ ପଇଠ ସେହି ମାସରେ କରିଥିଲେ। ବାକି ୫ ଦିନର ଟିକସ ୨୦୨୧ ଏପ୍ରିଲରେ ସଂଗୃହୀତ ହୋଇଥିଲା; ଯାହା ୨୧୮.୯୫ କୋଟି ଟଙ୍କା। ୨୦୨୦ ଏପ୍ରିଲରେ ଏହି ପରିମାଣ ୧୩୦.୧୧ କୋଟି ଟଙ୍କା ଥିବାବେଳେ ୨୦୧୯ ସେହି ସମୟରେ ଏହା ୧୮୩.୯୨ କୋଟି ଟଙ୍କା ହୋଇଥିଲା। ଫଳରେ ଏ କ୍ଷେତ୍ରରେ ୬୮.୨୮ ପ୍ରତିଶତ ଅଭିବୃଦ୍ଧ ଘଟିଛି। ଏଥିମଧ୍ୟରୁ ପେଟ୍ରୋଲିୟମ୍‌ କ୍ଷେତ୍ରରୁ ହୋଇଥିବା ସଂଗ୍ରହରେ ୧୭୫.୩୧ ପ୍ରତିଶତ ଅଭିବୃଦ୍ଧି ଘଟି ଚଳିତ ବର୍ଷ ଏପ୍ରିଲରେ ୧୬୬.୮୭ କୋଟି ଟଙ୍କା ଆଦାୟ ହୋଇଛି। ୨୦୨୦ ଏପ୍ରିଲରେ ଏହି ଆଦାୟ ପରିମାଣ ୬୦.୬୧ କୋଟି ଟଙ୍କା ଥିଲା। ନିୟମିତ ସର୍ଭେ ଓ ପଞ୍ଜୀକରଣ ମାଧ୍ୟମରେ ଟିକସ ପରିସର ବୃଦ୍ଧି କରିବା ଦିଗରେ ରାଜ୍ୟ ବାଣିଜ୍ୟକର ଓ ଜିଏସ୍‌ଟି ସଂସ୍ଥା ଅଧିକ ଗୁରୁତ୍ବ ଦେଇଆସିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୫୨,୨୧୦ ଜଣ ଟିକସଦାତାଙ୍କୁ ଜିଏସ୍‌ଟି ପରିସରଭୁକ୍ତ କରାଯାଇଥିଲା। ନିର୍ଦ୍ଧାରିତ ତାରିଖ ମଧ୍ୟରେ ଯେପରି ଅତିକମ୍‌ରେ ୯୦ ପ୍ରତିଶତ ରିଟର୍ନ ଦାଖଲ ହୋଇପାରିବ, ତାହା ସୁନିଶ୍ଚିତ କରିବା ପାଇଁ ସମସ୍ତ ସର୍କଲକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ଆର୍ଥିକ ବର୍ଷରେ ଟିକସ ଦାଖଲ ଖିଲାପୀଙ୍କ ବିରୋଧରେ ୧,୨୯,୭୧୧ଟି ଜିଏସ୍‌ଟିଆର୍‌-୩ଏ ନୋଟିସ ଜାରି କରାଯାଇଥିବା ବେଳେ ଜିଏସ୍‌ଟି ଆଇନର ଧାରା ୬୨ ଅଧୀନରେ ୧୯,୨୬୮ଟି ଆସେସ୍‌ମେଣ୍ଟ କରାଯାଇଛି।

Share